ହଠାତ୍ କାହିଁକି ଭିକାରୀ ସାଜିଲେ ଜଣେ ବିଧାୟକ । କ’ଣ ରହିଛି ଏହା ପଛର କାରଣ ? ମହାରାଷ୍ଟ୍ରର ସବୁଠାରୁ ଧନୀ ବିଧାୟକ, କିନ୍ତୁ ହଠାତ ସାଜିଲେ ଭିକାରୀ। ରାସ୍ତାରେ ବୁଲିଲେ, ଲୋକଙ୍କଠାରୁ ଖରାପ ବ୍ୟବହାର ବି ପାଇଲେ। ଏପରିକି ନିଜ ଓ୍ବାଚମ୍ୟାନ୍ ବି ତାଙ୍କୁ ଚିହ୍ନିପାରିଲେନି। ଗେଟ୍ ବାହାରୁ ବିଦା କରିଦେଲେ। ଏଭଳି କିଛି କହିଛନ୍ତି, ମହାରାଷ୍ଟ୍ର ବିଜେପି ବିଜେପି ବିଧାୟକ ପରାଗ ଶାହ। ହଠାତ୍ ଏମିତି ଏକ ଅବତାର ନେଲେ, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ଘାଟକୋପର ପୂର୍ବର ବିଧାୟକ ପରାଗ ଶାହ ନିଜର ପରିଚୟ ଲୁଚାଇ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ଜଣେ ସାଧାରଣ ଭିକାରୀ ଭଳି ମୁମ୍ବାଇର ରାସ୍ତାରେ ବୁଲିଥିଲେ। ଏହି ସମୟରେ ସେ ଯେଉଁ ଅନୁଭୂତି ପାଇଥିଲେ, ତାହା ପରେ ନିଜେ ସେୟାର କରିଛନ୍ତି। ପରାଗ ଶାହଙ୍କ କହିବା ଅନୁସାରେ, ଏହା କୌଣସି ରାଜନୈତିକ ଷ୍ଟଣ୍ଟ ନଥିଲା। ନିଜ ଜୈନ ଗୁରୁଙ୍କ ପରାମର୍ଶରେ ସେ ଏହି ପରୀକ୍ଷା କରିଥିଲେ। ତାଙ୍କ ଗୁରୁ ତାଙ୍କୁ କହିଥିଲେ ଯେ, ଲୋକେ ଆପଣଙ୍କୁ ସବୁବେଳେ ଆପଣଙ୍କ ବ୍ୟକ୍ତିତ୍ୱ ପାଇଁ ସମ୍ମାନ ଦିଅନ୍ତି ନାହିଁ; ଆପଣଙ୍କ ପାଖରେ ଥିବା ପଦ, ପ୍ରତିଷ୍ଠା ଓ ସମ୍ପତ୍ତି ପାଇଁ ମଧ୍ୟ ଆପଣଙ୍କୁ ସମ୍ମାନ ମିଳିପାରେ। ତେଣୁ ଏସବୁ ଛାଡ଼ି ସାଧାରଣ ଲୋକଙ୍କ ଭଳି ବାହାରକୁ ଯାଇ ଅନୁଭବ କରିବାକୁ ଗୁରୁ ତାଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ପରାଗ ଶାହ ବେଶ ବଦଳାଇ ଘାଟକୋପର ରେଳ ଷ୍ଟେସନ, ବ୍ରିଜ୍ ଏବଂ ଆଖପାଖ ଅଞ୍ଚଳରେ ପ୍ରାୟ ସାଢ଼େ ତିନି ଘଣ୍ଟା ବିତାଇଥିଲେ। ସବୁଠାରୁ ବଡ଼ ଅନୁଭବ ସେତେବେଳେ ହେଲା, ଯେତେବେଳେ ସେ ନିଜ ପରିଚିତଙ୍କ ଅଫିସକୁ ଯାଇଥିଲେ। ବେଶ ବଦଳାଇଥିବାରୁ ତାଙ୍କୁ କେହି ଚିହ୍ନିପାରିନଥିଲେ ।
ଏପରିକି ନିଜ ଅଫିସର ୱାଚମ୍ୟାନ୍ ବି ତାଙ୍କୁ ଅଫିସ୍ ଭିତରକୁ ଯିବାକୁ ମଧ୍ୟ ଦେଇନଥିଲେ।ପରାଗ ଶାହ କହିଛନ୍ତି, ଏହି ଅନୁଭବ ତାଙ୍କୁ ଅହଂକାର ଓ ଜୀବନର ବାସ୍ତବତା ବିଷୟରେ ଭାବିବାକୁ ବାଧ୍ୟ କରିଛି। ତାଙ୍କ ମତରେ, ପଦ ଓ ସମ୍ପତ୍ତି ସବୁବେଳେ ରହିବ ନାହିଁ। ଏସବୁ ନଥିଲେ ଜଣେ ବ୍ୟକ୍ତିଙ୍କୁ ସମାଜ କିପରି ଦେଖେ, ତାହା ମଧ୍ୟ ଏହି ପରୀକ୍ଷାରୁ ସେ ଅନୁଭବ କରିଥିବା କହିଛନ୍ତି। ପରାଗ ଶାହ ଭିକାରୀ ହୋଇ ବୁଲିବା ଘଟଣା ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ବି ଏହା ଚକିତ କରିଛି। କାରଣ ପରାଗଙ୍କ ପାଖରେ ପ୍ରାୟ₹୩,୩୮୩ କୋଟିର ସମ୍ପତ୍ତିଅଛି। ସେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ସହ ମଧ୍ୟ ଜଡ଼ିତ। ତେବେ ଏହି ଘଟଣାକୁ ନେଇ ତାଙ୍କର ପୁରୁଣା ବିବାଦ ମଧ୍ୟ ପୁଣି ଚର୍ଚ୍ଚାକୁ ଆସିଛି। ଗତ ବର୍ଷ ଜଣେ ଅଟୋ ଚାଳକଙ୍କୁ ଚାପୁଡ଼ ମାରିବା ଅଭିଯୋଗକୁ ନେଇ ପରାଗ ଶାହ ବିବାଦରେ ଆସିଥିଲେ। ଏବେ ତାଙ୍କର ‘ଭିକାରୀ’ ଭେଷର ଭିଡିଓ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି। ନିଜେ ପରାଗ ଶାହ ଏହାକୁ ଏକଆଧ୍ୟାତ୍ମିକ ଓ ସାମାଜିକ ପରୀକ୍ଷାବୋଲି କହିଛନ୍ତି। ଗରିବ ଲୋକଙ୍କ ଜୀବନର ସଂଘର୍ଷକୁ ନିକଟରୁ ଅନୁଭବ କରିବା ଏବଂ ଜୀବନର ବାସ୍ତବତାକୁ ବୁଝିବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି। ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଗ ଶାହ ଘାଟକୋପର ପୂର୍ବ ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ।

