19 Oct 2026, Mon

ନୂଆ ଜୀବନ ପାଇଲା ‘କଳିଙ୍ଗ ଷ୍ଟୁଡିଓ’ !

ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି କଳିଙ୍ଗ ଷ୍ଟୁଡିଓ । ସୋମବାର ନବୀକୃତ କଳିଙ୍ଗ ଷ୍ଟୁଡିଓର କଂପ୍ଲେକ୍ସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଆ ସିନେମାର ଗୌରବଜ୍ୱଳ ଅତୀତକୁ ପୁନର୍ଜୀବିତ କରିବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଆଜି ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓକୁ ଲୋକାର୍ପିତ କରିଛନ୍ତି। ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ। ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଇଛି। ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ ନୂତନ କଳିଙ୍ଗ ଷ୍ଟୁଡ଼ିଓ ବଦଳୁଥିବା ସମୟ ଏବଂ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟୁଡ଼ିଓକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଇକୋସିଷ୍ଟମ ଭାବେ ବିକଶିତ କରାଯାଇଛି। ଏଠାରେ ଇନ୍‌ଡୋର୍ ଶୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଚଳଚ୍ଚିତ୍ର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ଐତିହାସିକ ଦଲିଲଗୁଡ଼ିକୁ ସଂରକ୍ଷିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *