20 Oct 2026, Tue

ମହାସପ୍ତମୀ ଦିନରେ ମା’ କାଳରାତ୍ରୀଙ୍କ ଆରାଧନା

ଆଜି ମହାସପ୍ତମୀ । ସପ୍ତମୀ ତିଥିରେ ମା’ ଦୁର୍ଗାଙ୍କ ସପ୍ତମ ସ୍ୱରୂପ କାଳରାତ୍ରୀଙ୍କୁ ଅରାଧନା କରାଯାଇଥାଏ । ଯେଉଁ ଭକ୍ତ ବିଧି ବିଧାନର ସହ ମା କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିଥାଆନ୍ତି ତାଙ୍କର ସମସ୍ତ କଷ୍ଟ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । କାଳରାତ୍ରୀଙ୍କ ପୂଜାରେ ଭୟ ଓ ରୋଗ ନାଶ ହୋଇଥାଏ । ଏହା ସହ ଭୂତ, ପ୍ରେତ, ଅକାଳ ମୃତ୍ୟୁ, ରୋଗ ଆଦି ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । କୃଷ୍ଣ ବର୍ଣ୍ଣା ହୋଇଥିବାରୁ ତାଙ୍କୁ ‘କାଳରାତ୍ରୀ’ ବୋଲି ମଧ୍ୟ କୁହାଯାଏ । କାଳରାତ୍ରୀ ତ୍ରୀନେତ୍ର ଧାରଣୀ । ଖଡ଼ଗ ଓ ଅସ୍ତ୍ର ମାଆଙ୍କ ଚାରି ବାହୁରେ ସୁସଜ୍ଜିତ। ତାଙ୍କର ଅନ୍ୟ ଏକ ନାମ ‘ଶୁଭଙ୍କରୀ’ ଅଟେ । ଭୂତ, ପ୍ରେତ, ମନ୍ଦ ଶକ୍ତି, ଶତ୍ରୁ ଭୟ ଦୂର କରିବା ପାଇଁ ମାଆ କାଳରାତ୍ରୀଙ୍କ ଉପାସନା ବେଶ ପ୍ରଭାବଶାଳୀ। ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। କୁହାଯାଏ, ମାଆଙ୍କ ଆରାଧ୍ୟନା ଫଳରେ ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ । କାଳରାତ୍ରୀଙ୍କୁ ‘ଐଶ୍ବର୍ଯ୍ୟର ଦେବୀ’ ବୋଲି ମଧ୍ୟ କୁହାଯାଏ। ଯେଉଁମାନେ ମହାସପ୍ତମୀ ଦିନ ମା’ କାଳରାତ୍ରୀଙ୍କୁ ପୂଜା କରନ୍ତି, ସେମାନେ ଜ୍ଞାନ ସହ ସୌଭାଗ୍ୟ ଲାଭ କରିଥାନ୍ତି । ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରୀଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରି ଦୀପ ଜଳାଇ ରୋଲି, ଅକ୍ଷତ, ଫୁଲ ଓ ଜଳ ଅର୍ପଣ କରନ୍ତୁ । ପୂଜା ସମୟରେ ମନକୁ ଶାନ୍ତ ରଖି ମା’ଙ୍କୁ ସ୍ମରଣ କରନ୍ତୁ ଏବଂ ତାଙ୍କ ମନ୍ତ୍ର ଜପ କରନ୍ତୁ । ଏହାପରେ ମା’ଙ୍କୁ ଗୁଡ଼ ଭୋଗ ଅର୍ପଣ କରି ଶ୍ରଦ୍ଧାର ସହ ଆଳତି କରନ୍ତୁ । ପୂଜା ଶେଷ ହେବା ପରେ ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରନ୍ତୁ । ନବରାତ୍ରିର ସପ୍ତମ ଦିନ ଧୂସର ବା ସ୍ଲେଟି ରଙ୍ଗର ପୋଷାକ ପିନ୍ଧିବା ଶୁଭ ବୋଲି ମାନ୍ୟତା ରହିଛି । ଏହି ରଙ୍ଗ ଧୈର୍ଯ୍ୟ, ସ୍ଥିରତା ଓ ସନ୍ତୁଳନର ପ୍ରତୀକ ଭାବେ ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ରଙ୍ଗ ଜୀବନର କଠିନ ପରିସ୍ଥିତିରେ ମଧ୍ୟ ସଂଯମ ବଜାୟ ରଖିବାକୁ ପ୍ରେରଣା ଦିଏ । ତେଣୁ ଏହି ଦିନ ମା’ଙ୍କ ପୂଜା କରିବା ସମୟରେ ଭକ୍ତମାନେ ଧୂସର ବା ସ୍ଲେଟି ରଙ୍ଗର ପୋଷାକ ପିନ୍ଧିପାରିବେ । ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ କାଳରାତ୍ରୀଙ୍କୁ ଗୁଡ଼ ଭୋଗ ଅର୍ପଣ କରିବା ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଭକ୍ତମାନେ ମା’ଙ୍କୁ ଗୁଡ଼ ଏବଂ ଗୁଡ଼ରେ ପ୍ରସ୍ତୁତ ବିଭିନ୍ନ ମିଠା ଭୋଗ ଭାବେ ଅର୍ପଣ କରିପାରିବେ। ଏହାପରେ ଭୋଗକୁ ପ୍ରସାଦ ଭାବେ ବଣ୍ଟନ କରାଯାଇପାରିବ। ବିଶ୍ୱାସ ରହିଛି ଯେ, ନିଷ୍ଠା, ଭକ୍ତି ଓ ଶ୍ରଦ୍ଧାର ସହ ମା’ କାଳରାତ୍ରୀଙ୍କ ଆରାଧନା କଲେ ଭକ୍ତମାନେ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି। ନବରାତ୍ରିର ଏହି ପବିତ୍ର ଦିନରେ ମା’ଙ୍କ ପୂଜା କରି ସମସ୍ତେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରନ୍ତୁ ।

Leave a Reply

Your email address will not be published. Required fields are marked *