21 Oct 2026, Wed

ସହଜନଥିଲା ଡ୍ରିମଗର୍ଲଙ୍କ ଜୀବନଯାତ୍ରା !

ବଲିଉଡର ଡ୍ରିମ୍ ଗର୍ଲ ଭାବେ ପରିଚିତ ହେମା ୭୮ ବର୍ଷରେ ପାଦ ଥାପିଛନ୍ତି । ତାମିଲନାଡୁର ଅମ୍ମାନକୁଡ଼ିରେ ଜନ୍ମ ଗ୍ରହଣ କରିଥିବା ହେମା ମାଳିନୀ ନୃତ୍ୟଶିଳ୍ପୀରୁ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇଥିଲେ । ତେବେ ତାଙ୍କର ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ, ପରିଶ୍ରମ ଓ ମା’ଙ୍କ ଦୃଢ଼ ଇଚ୍ଛାଶକ୍ତି । ହେମା ମାଳିନୀଙ୍କୁ ଅଳ୍ପ ବୟସରୁ ହିଁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦିଆଯାଇଥିଲା । ମା’ ଜୟା ଲକ୍ଷ୍ମୀ ତାଙ୍କୁ ଡ୍ୟାନ୍ସ କ୍ଲାସରେ ନାମ ଲେଖାଇ ଦେଇଥିଲେ । ସ୍କୁଲରୁ ଫେରିବା ପରେ ହେମାଙ୍କୁ କେବେ ନୃତ୍ୟ ତ ଆଉ କେବେ ସଙ୍ଗୀତ ଶିକ୍ଷା ପାଇଁ ଯିବାକୁ ପଡ଼ୁଥିଲା । ଯଦି କୌଣସି ଶିକ୍ଷକ ଠିକ୍ ଭାବେ ଶିକ୍ଷା ଦେଉନଥିଲେ, ତେବେ ତାଙ୍କ ମା’ ତୁରନ୍ତ ଶିକ୍ଷକ ବଦଳାଇ ଦେଉଥିଲେ । ହେମାଙ୍କ ମା’ କେଶରେ ତେଲ ଲଗାଇ ବେଣୀ କରୁଥିଲେ, ଫୁଲ ଲଗାଉଥିଲେ ଏବଂ ତାଙ୍କୁ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧାଉଥିଲେ । ଦିଲ୍ଲୀର ରାସ୍ତାରେ ଏପରି ପୋଷାକ ପିନ୍ଧି ଯିବାବେଳେ କିଛି ଲୋକ ତାଙ୍କୁ ଥଟ୍ଟା କରୁଥିଲେ । ଯଦି ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ କଥା କୁହାଯାଏ ତେବେ ସେ ୧୪ ବର୍ଷ ବୟସରେ “ଇଧୁ ସାଥିୟମ” (୧୯୬୨) ଏବଂ ୧୭ ବର୍ଷ ବୟସରେ “ପାଣ୍ଡବ ବନବାସମ” (୧୯୬୫) ଭଳି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ବଲିଉଡକୁ ଚାଲିଯାଇଥିଲେ । ତାଙ୍କର ବଲିଉଡ ଡେବ୍ୟୁ କିମ୍ବଦନ୍ତୀ ଅଭିନେତା ଏବଂ ନିର୍ଦ୍ଦେଶକ ରାଜ କପୁରଙ୍କ ଚଳଚ୍ଚିତ୍ର “ସପନନ୍ କା ସୌଦାଗର” ସହିତ ହୋଇଥିଲା । ୧୯୭୫ ମସିହାରେ ଆସିଥିବା “ଶୋଲେ” ଚଳଚ୍ଚିତ୍ରରେ ବାସନ୍ତୀ ଭୂମିକା ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଭୂମିକା ଥିଲା। ଏହି ଚଳଚ୍ଚିତ୍ରଟି ମଧ୍ୟ ଏକ ବଡ଼ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ପରେ, ହେମା “ନସୀବ,” “କ୍ରାନ୍ତି,” “ଜମାଇ ରାଜା,” “ବାଗୱାନ,” “ବୀର-ଜାରା,” “ସତ୍ତେ ପେ ସତ୍ତା,” “ଧର୍ମାତ୍ମା,” “ଖୁସ୍ବୁ,” “ପ୍ରତିଜ୍ଞା,” “ରିହାଇ,” “ଦ ବର୍ନିଂ ଟ୍ରେନ୍,” ଏବଂ “ଅନ୍ଧା କାନୁନ୍” ଭଳି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ୧୯୭୭ ମସିହାରେ ଆସିଥିବା “ଡ୍ରିମ୍ ଗାର୍ଲ” ଚଳଚ୍ଚିତ୍ର ପରେ ସେ “ଡ୍ରିମ୍ ଗାର୍ଲ” ଭାବରେ ପରିଚିତ ହୋଇଥିଲେ । ଅଭିନେତ୍ରୀ ୧୯୮୦ ମସିହାରେ ତାଙ୍କଠାରୁ ୧୩ ବର୍ଷ ବଡ଼ ସ୍ବର୍ଗତ ଅଭିନେତା ଧମେନ୍ଦ୍ରଙ୍କୁ ବିବାହ କରିଥିଲେ । ହେମା ଏବଂ ଧର୍ମେନ୍ଦ୍ରଙ୍କର ଦୁଇଟି ଝିଅ ଥିଲେ, ଆହାନା ଦେଓଲ ଏବଂ ଏଶା ଦେଓଲ । ବିବାହର ଅଧ୍ୟାୟ ଶେଷ ହେବା ପରେ ସେ ୨୦୦୦ଦଶକ ପୂର୍ବରୁ ରାଜନୀତିରେ ଆଗ୍ରହୀ ହେଲେ । ସେ ୨୦୦୩ ରୁ ୨୦୦୯ ଏବଂ ୨୦୧୧ ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ୨୦୧୪, ୨୦୧୯ ଏବଂ ୨୦୨୪ ମସିହାରେ, ହେମା ମାଳିନୀ ବିଜେପି ଟିକେଟରେ ମଥୁରାରୁ ଲଗାତାର ତିନୋଟି ଲୋକସଭା ନିର୍ବାଚନ ଜିତିଥିଲେ ।

Leave a Reply

Your email address will not be published. Required fields are marked *