ନାରୀ ହିଁ ନାରାୟଣୀ, କୁମାରୀ କନ୍ୟାଙ୍କ ମଧ୍ୟରେ ମାଆ ଦୁର୍ଗାଙ୍କ ସ୍ୱରୂପ। ଶାରଦୀୟ ନବରାତ୍ରରେ କୁମାରୀ ପୂଜନର ରହିଛି ବିଶେଷ ମହତ୍ତ୍ୱ । ଶାସ୍ତ୍ରୀୟ ପରମ୍ପରା ଅନୁସାରେ, କୁମାରୀ କନ୍ୟାଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ପୂଜା କରାଯାଏ । ଅନ୍ୟପଟେ, ଶ୍ରୀକ୍ଷେତ୍ର ପୁରୀରେ ରହିଛି ନେତ ପିଲାଙ୍କ ଏକ ନିଆରା ପରମ୍ପରା। ସେବାୟତ ପରିବାରର କୁନି କୁନି ଝିଅମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ବଳିପୂଜା ବା ଜହ୍ନି ଓଷା ପାଳନ କରିଥାନ୍ତି। ତେବେ କ’ଣ ରହିଛି କୁମାରୀ ପୂଜନର ମହତ୍ତ୍ୱ ଏବଂ କ’ଣ ଏହି ନେତ ପିଲା ପରମ୍ପରା? ହିନ୍ଦୁ ଧାର୍ମିକ ପରମ୍ପରାରେ ନବରାତ୍ର ହେଉଛି ଶକ୍ତି ଉପାସନାର ଏକ ପବିତ୍ର ପର୍ବ। ପୌରାଣିକ କଥା ଅନୁସାରେ, ରାବଣ ବଧ ପୂର୍ବରୁ ପ୍ରଭୁ ଶ୍ରୀରାମ ଶରତକାଳରେ ମାଆ ଦୁର୍ଗାଙ୍କ ଆରାଧନା କରିଥିଲେ। ଏହାକୁ ଅକାଳବୋଧନ ବୋଲି କୁହାଯାଏ। ନବରାତ୍ରର ଅଷ୍ଟମୀ ଓ ନବମୀ ତିଥିରେ ଦେବୀଙ୍କ ବିଶେଷ ଉପାସନା ସହ କୁମାରୀ ପୂଜନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ପରମ୍ପରା ଅନୁସାରେ, କୁନି କନ୍ୟାମାନଙ୍କୁ ମାଆ ଦୁର୍ଗାଙ୍କ ନବରୂପର ପ୍ରତୀକ ଭାବେ ପୂଜା କରାଯାଏ। ସେମାନଙ୍କୁ ଚନ୍ଦନ, କୁଙ୍କୁମ ଓ ଫୁଲରେ ସଜାଇ ପାଦ ପୂଜା, ଆଳତି ଏବଂ ଭୋଜନ ଅର୍ପଣ କରାଯାଏ। ଅନେକ ସ୍ଥାନରେ ଅଷ୍ଟମୀ ଓ ନବମୀ ଦିନ ଏହି ପୂଜା ଅନୁଷ୍ଠିତ ହୋଇଥାଏ। କୁମାରୀ ପୂଜନ କେବଳ ଏକ ଧାର୍ମିକ ବିଧି ନୁହେଁ, ବରଂ ନାରୀଶକ୍ତି ପ୍ରତି ସମ୍ମାନ ଓ ଆଦର ପ୍ରଦର୍ଶନର ଏକ ପ୍ରତୀକ। କୁମାରୀ ପୂଜନର ଏହି ପରମ୍ପରା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀର ନେତ ପିଲା ପରମ୍ପରା ଅତ୍ୟନ୍ତ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ସେବାୟତ ପରିବାରର କୁନି କୁନି ଝିଅମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହା ବଳିପୂଜା ବା ଜହ୍ନି ଓଷା ନାମରେ ମଧ୍ୟ ପରିଚିତ। ପରମ୍ପରା ଅନୁସାରେ, ଭାଦ୍ରବ ପୂର୍ଣ୍ଣିମାଠାରୁ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରାଯାଏ। ଆଶ୍ୱିନ ଶୁକ୍ଳ ପଞ୍ଚମୀ ତିଥିକୁ ନେତ ପଞ୍ଚମୀ ମଧ୍ୟ କୁହାଯାଏ। ଏହି ଦିନ ଶ୍ରୀକ୍ଷେତ୍ରର ମାର୍କଣ୍ଡେଶ୍ୱର ପୁଷ୍କରିଣୀ ନିକଟରେ କୁନି କୁନି ଝିଅଙ୍କ କଣ୍ଠରୁ ପାରମ୍ପରିକ ଲୋକଗୀତ ଶୁଣିବାକୁ ମିଳେ। ଏହି ବ୍ରତରେ ଝିଅମାନେ ଘରର ତୁଳସୀ ଚଉରା ମୂଳେ ବଳିପୂଜା କରିବା ସହ ଗୁଆ ଓ କଉଡ଼ିକୁ ଶିବଙ୍କ ପ୍ରତୀକ ଭାବେ ପୂଜା କରନ୍ତି। ପରେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ମାର୍କଣ୍ଡେଶ୍ୱର ପୁଷ୍କରିଣୀ ନିକଟକୁ ଯାଆନ୍ତି। ସେଠାରେ ବାଲୁକାରେ ଶିବଲିଙ୍ଗ ନିର୍ମାଣ କରି ହରଗୌରୀଙ୍କୁ ଉପାସନା କରିଥାନ୍ତି। ନେତ ପିଲା ପରମ୍ପରାର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ସେମାନଙ୍କ ପାରମ୍ପରିକ ବେଶଭୂଷା ଓ ଅଳଙ୍କାର। ପାଟ ଲୁଗା ପିନ୍ଧିବା ସହ ମୁଣ୍ଡରେ ଅଳକା, କେତକୀରେଖା ଓ ବିଭିନ୍ନ ପ୍ରକାରର ଆଭୂଷଣ ପରିଧାନ କରନ୍ତି। କାନରେ ପେଣ୍ଡି, ମଲକଢ଼ି, ନାକରେ ନୋଥ ଓ ଗୁଣା, ବେକରେ ଚାପସରି ଓ ବିଭିନ୍ନ ମାଳି, ହାତରେ ବଳା ଓ ବାଜୁବନ୍ଧ, ଗୋଡ଼ରେ ପାଉଁଜି ଓ ଘାଗୁଡ଼ି ପରିଧାନ କରିଥାନ୍ତି। ଏହି ଅଳଙ୍କାରଗୁଡ଼ିକ କେବଳ ସେମାନଙ୍କ ବେଶକୁ ଆକର୍ଷଣୀୟ କରେ ନାହିଁ, ବରଂ ଓଡ଼ିଶାର ପାରମ୍ପରିକ ଅଳଙ୍କାର କଳା ଓ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ପ୍ରତିଫଳିତ କରେ। ଲୋକବିଶ୍ୱାସ ଅନୁସାରେ, ଏହି ବ୍ରତ ପାଳନ କଲେ ଉତ୍ତମ ଜୀବନସାଥୀ ମିଳିବା ସହ ପରିବାରର ମଙ୍ଗଳ ହୋଇଥାଏ।

