20 Oct 2026, Tue

ଧିରେ ଧିରେ ଓଡିଆ ସିନେମା ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ନିଚ୍ଛକ କାହାଣୀ , ଅଭନୟ ଭିତରେ ଭରପୁର ମନୋରଞ୍ଜନ ଭରୁଛନ୍ତି ଫିଲ୍ମମେକର୍ । ତେବେ ଓଡ଼ିଆ ସିନେମାପ୍ରେମୀଙ୍କ ମଧ୍ୟରେ ଏବେ ଚର୍ଚ୍ଚାରେ ରହିଛି ନୂଆ ଚଳଚ୍ଚିତ୍ର ‘ଯଦି । ସେପ୍ଟେମ୍ବର ୧୧, ୨୦୨୬ରେ ‘ଦାହାନ୍’ ଓ ‘ଦଣ୍ଡକାଳୀ’ ସହ ଏକାସାଙ୍ଗରେ ରିଲିଜ୍ ହୋଇଥିବା ଏହି ସିନେମା ଶ୍ରୀଅଂଶ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ। କାଜଲ ରାୟ ପ୍ରଯୋଜିତ ଏବଂ ଦିବ୍ୟଜ୍ୟୋତି ଉଦୟସିଂହ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ମୁଖ୍ୟତଃ ଯୁବପିଢ଼ିକୁ କେନ୍ଦ୍ର କରି ଗଢ଼ାଯାଇଛି। ଫିଲ୍ମର ମୂଳ କାହାଣୀ ହେଉଛି ଏକ ଛୋଟ ବିବାଦ କିପରି ଧୀରେ ଧୀରେ ଏକ ବଡ଼ ଘଟଣାର ରୂପ ନିଏ ଏବଂ ସେହି ଘଟଣା ପଛରେ ଲୁଚିଥିବା ସତ୍ୟ କ’ଣ । ଏହି କାହାଣୀରେ ରହିଛି ସମ୍ପର୍କ, ଦ୍ୱନ୍ଦ୍ୱ, ଭାବନା ଏବଂ ସସପେନ୍ସର ଭରପୂର ମନୋରଞ୍ଜନ । ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ଦିବ୍ୟଜ୍ୟୋତି ଉଦୟସିଂହ ଲେଖିଛନ୍ତି । ଜଣେ ନୂଆ ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ସିନେମା ହୋଇଥିଲେ ମଧ୍ୟ, ଜଣେ ସମୀକ୍ଷକ ତାଙ୍କର ନାରେସନ୍, ସ୍କ୍ରିନ୍‌ପ୍ଲେ ଓ ଟାଇମିଂକୁ ଫିଲ୍ମର ଏକ ମୁଖ୍ୟ ଶକ୍ତି ବୋଲି ଉଲ୍ଲେଖ କରିଛନ୍ତି। ‘ଯଦି’ରେ ଶୈଳେନ୍ଦ୍ର ସାମନ୍ତରାୟ, ପ୍ରିୟମ୍ବଦା ସ୍ୱାଇଁ ଓ ଆକାଶ ହୋତା ପ୍ରମୁଖ ଭୂମିକାରେ ଅଛନ୍ତି । ସମୀକ୍ଷାରେ ଏହି ତିନିଜଣଙ୍କ ଅଭିନୟ ଓ ଚରିତ୍ର ସହ ସେମାନଙ୍କର ସ୍ୱାଭାବିକତାକୁ ପ୍ରଶଂସା କରାଯାଇଛି। ବିଶେଷ କରି ଇଣ୍ଟରଭାଲ୍ ପରେ ପ୍ରବେଶ କରୁଥିବା ସୁଶାନ୍ତ ଦାସ ମହାପାତ୍ରଙ୍କ ଚରିତ୍ରକୁ ଫିଲ୍ମର ଏକ ବଡ଼ ସରପ୍ରାଇଜ୍ ବୋଲି କୁହାଯାଇଛି । ତାଙ୍କ ଅଭିନୟ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଆଉ ଏହି ଫିଲ୍ମର ସବୁଠାରୁ ବଡ଼ ଆକର୍ଷଣ ମଧ୍ୟରୁ ଗୋଟିଏ ହେଉଛି ଏହାର ସସପେନ୍ସ ଏଲିମେଣ୍ଟ। କାହାଣୀ ଆଗକୁ ବଢ଼ିବା ସହ ଦର୍ଶକଙ୍କ ସାମ୍ନାରେ ଥିବା ଘଟଣାଗୁଡ଼ିକର ଅର୍ଥ ବଦଳିବାକୁ ଲାଗେ। ଇଣ୍ଟରଭାଲ୍‌ର ଘଟଣା ପରବର୍ତ୍ତୀ ଭାଗ ପାଇଁ ଉତ୍ସୁକତା ବଢ଼ାଏ । ଫିଲ୍ମର ସଙ୍ଗୀତ ଦେଇଛନ୍ତି ସୋମେଶ ଶତପଥୀ। ସିନେମାଟୋଗ୍ରାଫି ରୁଦ୍ରକାନ୍ତ ସିଂଙ୍କର, ଏଡିଟିଂ ମାନସ କୁମାର ସାହୁଙ୍କର ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋର୍ ଅଭିଷେକ ପାଣିଗ୍ରାହୀ ଦେଇଛନ୍ତି । ଗୋଟିଏ ପଟେ ଯୁବପିଢ଼ିକୁ କେନ୍ଦ୍ର କରି ନିର୍ମିତ କାହାଣୀ, ଅନ୍ୟପଟେ ନୂଆ ନିର୍ଦ୍ଦେଶକଙ୍କ ନାରେସନ୍। ତା’ ସହିତ ଶୈଳେନ୍ଦ୍ର, ପ୍ରିୟମ୍ବଦା ଓ ଆକାଶଙ୍କ ଅଭିନୟ ଏବଂ ଇଣ୍ଟରଭାଲ୍ ପରବର୍ତ୍ତୀ ସସପେନ୍ସ ଏସବୁ ମିଶି ‘ଯଦି’କୁ ନେଇ ଦର୍ଶକ ଓ ସିନେମା ସମୀକ୍ଷକଙ୍କ ଆଗ୍ରହ ବଢ଼ାଇଛି ।

Leave a Reply

Your email address will not be published. Required fields are marked *