19 Oct 2026, Mon

ଆସନ୍ତା କାଲି ୧୨ ଘଣ୍ଟିଆ ଓଡିଶା ବନ୍ଦ

ଆସନ୍ତା ୮ ତାରିଖ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ଇଣ୍ଡିଆ ବ୍ଲକ୍ ଏବଂ କଂଗ୍ରେସ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । MMDR ଆଇନ ସଂଶୋଧନ ପ୍ରତ୍ୟାହାର, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସହାୟତା ଭଳି ୪ ଦଫା ଦାବିକୁ ନେଇ ଏହି ରାଜ୍ୟବ୍ୟାପୀ ଆନ୍ଦୋଳନର ଆହ୍ୱାନ କରାଯାଇଛି । ସେପଟେ, ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି ବିରୋଧୀ । ବନ୍ଦ ସମୟରେ ରେଳ, ବସ୍ ଓ ଅନ୍ୟାନ୍ୟ ସରକାରୀ ବେସରକାରୀ ଯାନବାହନ ଚଳାଚଳ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ସମସ୍ତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ । ଏହାସହ ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅସୁବିଧା ନହୁଏ ଧ୍ୟାନ ଦିଆଯିବ । ସେହିପରି, ଓଡ଼ିଶା ବନ୍ଦ ଡାକରା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ D.El.Ed. ପରୀକ୍ଷା। ଆସନ୍ତା ଅକ୍ଟୋବର ୮ ତାରିଖରେ ହେବାକୁ ଥିବା ପରୀକ୍ଷା ବାତିଲ କିମ୍ବା ଘୁଞ୍ଚିବା ନେଇ ହେଉଥିବା ଗୁଜବରେ ବିରାମ ଲଗାଇଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଓଡ଼ିଶା ବନ୍ଦ ପାଇଁ D.El.Ed. ପରୀକ୍ଷା ବାତିଲ ହେବ ନାହିଁ କିମ୍ବା ଘୁଞ୍ଚାଯିବ ନାହିଁ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଚାଲୁ ରହିବ। D.El.Ed. ପରୀକ୍ଷା-୨୦୨୬ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ। ଏ ପର୍ଯ୍ୟନ୍ତ ୩ଟି ପେପର ପରୀକ୍ଷା ଶେଷ ହୋଇଛି। ଅକ୍ଟୋବର ୮ ତାରିଖରେ ୪ର୍ଥ ପେପର ପରୀକ୍ଷା ହେବ। ଏହାପରେ ଆଉ ୬ଟି ପେପର ପରୀକ୍ଷା ବାକି ରହିଛି। ଅକ୍ଟୋବର ୮ ତାରିଖର ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବ। ତେବେ ଓଡ଼ିଶା ବନ୍ଦ ଯୋଗୁଁ ଯାତାୟାତରେ ସମସ୍ୟା ହୋଇପାରେ। ତେଣୁ ପରୀକ୍ଷାର୍ଥୀମାନେ ସକାଳ ୮ଟା ସୁଦ୍ଧା ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *