19 Oct 2026, Mon

କଂଗ୍ରେସ ସପୋର୍ଟରେ ବାହାରିଲା ବିଜେଡି !

ଓଡ଼ିଶାରେ ଆସନ୍ତାକାଲି ହେବାକୁ ଥିବା ବନ୍ଦକୁ ନେଇ ରାଜନୀତି ତେଜ ହୋଇଛି। ଲୋକଙ୍କ ଅଧିକାର, ଗଣତାନ୍ତ୍ରିକ ଅଧିକାର ଏବଂ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟ ଏହି ବନ୍ଦ ଡାକରା ଦେଇଛି। କିନ୍ତୁ ବନ୍ଦକୁ ସମର୍ଥନ କରିବ ନାହିଁ ବୋଲି ଏବେ ସ୍ପଷ୍ଟ କରିଛି ବିଜେଡି। ଆଜି ଦଳ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ତେବେ ବିଜେଡିର ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିବାର ମୁଖ୍ୟ କାରଣ ହେଉଛି ବନ୍ଦକୁ ନେଇ ଦଳର ଆଭିମୁଖ୍ୟରେ ଆସିଥିବା ପରିବର୍ତ୍ତନ । ପ୍ରଥମେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ନବୀନ ନିବାସରେ ବୈଠକରେ ଯୋଗଦେଇ ଫେରିବା ପରେ ଗଣମାଧ୍ୟମକୁ କହିଥିଲେ ଯେ ଆସନ୍ତାକାଲିର ବନ୍ଦକୁ ବିଜେଡି ସମର୍ଥନ କରିବ। ତାଙ୍କ କହିବା ଅନୁସାରେ, ବିଜେଡି ‘ଇଣ୍ଡି’ ମେଣ୍ଟ ସହିତ ଅଛି ଏବଂ ସେହି କାରଣରୁ ବନ୍ଦକୁ ସମର୍ଥନ କରିବ। କିନ୍ତୁ ଏହି ମନ୍ତବ୍ୟର କିଛି ସମୟ ପରେ ଚିତ୍ର ବଦଳିଗଲା। ପୁଣି ଗଣମାଧ୍ୟମ ସମ୍ମୁଖରେ ଆସି ପ୍ରମିଳା ମଲ୍ଲିକ କହିଥିଲେ ଯେ ବିଜେଡି ଆସନ୍ତାକାଲିର ବନ୍ଦକୁ ସମର୍ଥନ କରିବ ନାହିଁ।
ଅର୍ଥାତ୍, ଗୋଟିଏ ଦିନରେ ବନ୍ଦକୁ ନେଇ ବିଜେଡିର ଦୁଇଟି ଭିନ୍ନ ଆଭିମୁଖ୍ୟ ସାମ୍ନାକୁ ଆସିଛି। ପ୍ରଥମେ ସମର୍ଥନର କଥା ଏବଂ ପରେ ସମର୍ଥନ ନକରିବାର ଘୋଷଣା। ଏବେ ପ୍ରଶ୍ନ ହେଉଛି କାହିଁକି ବଦଳିଲା ବିଜେଡିର ଆଭିମୁଖ୍ୟ? ବୈଠକ ପରେ ଆସିଥିବା ପ୍ରଥମ ବୟାନ ଓ ପରବର୍ତ୍ତୀ ଘୋଷଣା ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ କାହିଁକି ? ଏପଟେ, କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟର ଦାବି ହେଉଛି—ଓଡ଼ିଶାର ଗଣତାନ୍ତ୍ରିକ ଅଧିକାର, ଲୋକଙ୍କ ସ୍ୱାର୍ଥ ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। ତେଣୁ ଆସନ୍ତାକାଲିର ବନ୍ଦକୁ ନେଇ ରାଜନୈତିକ ଭାବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେବ। ଏକପଟେ ବନ୍ଦକୁ ନେଇ ‘ଇଣ୍ଡି’ ମେଣ୍ଟର ଆହ୍ୱାନ, ଅନ୍ୟପଟେ ବିଜେଡିର ସମର୍ଥନ ପ୍ରତ୍ୟାହାର। ତେବେ ବନ୍ଦର ପ୍ରଭାବ କେତେ ରହିବ, ସାଧାରଣ ଜନଜୀବନ କିପରି ପ୍ରଭାବିତ ହେବ ଏବଂ ବିଜେଡିର ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିରେ କେଉଁ ବାର୍ତ୍ତା ଦେବ ତାହା ଆସନ୍ତାକାଲିର ଘଟଣାକ୍ରମ ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *