20 Oct 2026, Tue

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, କିଏ ମାରିବ ବାଜି ?

ରୋଚକ ଥିଲା 2024 ନିର୍ବାଚନ । ଏବେ 2029 ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟର ୩ ପ୍ରମୁଖ ଦଳ । ତେବେ ପଞ୍ଚାୟତ ନିର୍ବାଚନରୁ କାହାର ଦମ୍ କେତେ ଜଣା ପଡିବ ବୋଲି ରାଜ୍ୟରେ ଆଲୋଚନା ଚାଲିଛି । କାହା ଉପରେ ଖପ୍ପା ରାଜ୍ୟବାସୀ । କାହା ଉପରେ ସନ୍ତୁଷ୍ଟ । ତାର ଉତ୍ତର ଗାଁ ଗାଁରୁ ପ୍ରଥମେ ମିଳିବ । ପଞ୍ଚାୟତ ଫଳାଫଳକୁ ନେଇ 2029 ପାଇଁ ବ୍ଲୁ ପ୍ରିଣ୍ଟ ହେବ ପ୍ରସ୍ତୁତ । ତେବେ ନିର୍ବାଚନକୁ ଆଉ ବର୍ଷରୁ କମ୍ ସମୟ ଥିବା ବେଳେ କସରତ ଆରମ୍ଭ କରିଛନ୍ତି ବିଜେଡି, ବିଜେପି, ଓ ହାତପାର୍ଟି । ପିସିସି ସଭାପତି ଭକ୍ତ ଦାସ ଗଠନ କରିଛନ୍ତି ନୂଆ ଟିମ୍ । ବିଜେଡି ମଧ୍ୟ ନିର୍ବାଚନକୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ଥିବା କହିଥିବା ବେଳେ ବିଜେପି ମଧ୍ୟ ପଛରେ ନାହିଁ । ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ, ଓଡ଼ିଶା ରାଜନୀତିର ସବୁଠୁ ବଡ଼ ପରୀକ୍ଷା। ଆଉ ଏହି ମହାପରୀକ୍ଷାରେ ପାସ୍ ହେବାକୁ ଆରମ୍ଭ ହୋଇସାରିଛି ।

୨୦୨୪ରେ ଓଡ଼ିଶାରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲା ବିଜେପି । କିନ୍ତୁ ସରକାରଙ୍କ ଉପରେ ଜନତା ଅସନ୍ତୋଷ ବଢିଥିବା ନେଇ ବିଜେଡି ଟାର୍ଗେଟ କରୁଥିବା ବେଳେ ତାର ପ୍ରତି ଜାବବ ରଖିଛି ଦଳ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ଭିତରେ ଥିବା ଫାଟ ମଧ୍ୟ ଜଳ ଜଳ ହୋଇ ପଦାରେ ପଡିଥିବା ଚର୍ଚ୍ଚା ହେଉଛି । କିନ୍ତୁ ତଥାପି ମଧ୍ୟ ତୃଣ ମୂଳ ସଜାଡିବାକୁ ଲାଗିପଡିଛନ୍ତି ଦଳର ତୁଙ୍ଗ ନେତା ଓ ଛାମୁଆ କର୍ମୀ । ବରିଷ୍ଠଙ୍କୁ ସମ୍ମାନ ସହ ଜେନ୍-ଜି ଓ ଯୁବବର୍ଗଙ୍କୁ ଗୁରୁତ୍ବ ଦେଇ ସରକାର ଓ ବିରୋଧି ଗୋଷ୍ଠୀ ସଂଗଠନ ସଜାଡ଼ୁଛି । ତେବେ ରାଜନୀତିର ପଶାପାଲିରେ ଏଥର ସବୁଠୁ ବଡ଼ ଟ୍ରମ୍ପ କାର୍ଡ ସାଜିବେ ଯୁବପିଢ଼ି। ରାଜନୈତିକ ସମୀକ୍ଷକଙ୍କ ମତରେ, ଆଗାମୀ ନିର୍ବାଚନରେ ଜେନ୍-ଜି ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ପ୍ରାଣପଣେ ଚେଷ୍ଟା କରିବେ। ଯିଏ ସେମାନଙ୍କ ଆଶା ଓ ଆକାଂକ୍ଷାକୁ ବୁଝିପାରିବ, ସଫଳତାର ଚାବିକାଠି ତାଙ୍କରି ହାତରେ ହିଁ ଲାଗିବ। ନିର୍ବାଚନକୁ ସମୟ ଅଛି, କିନ୍ତୁ ରାଜନୀତିରେ ରଣନୀତିର ସମୟ ଆରମ୍ଭ ହୋଇଗଲାଣି। ଦେଖିବାର କଥା ପଞ୍ଚାୟତ ଓ ପୌର ନିର୍ବାଚନ ଟେଷ୍ଟରେ କିଏ ମାରୁଛି ବାଜି।

Leave a Reply

Your email address will not be published. Required fields are marked *