19 Oct 2026, Mon

ହୋମ୍ ଲୋନ୍ ନେଇଥିଲେ ସାବଧାନ୍ !

ଋଣଧାରୀଙ୍କ ପାଇଁ ଆସିଲା ଗୁରୁତ୍ବପୂର୍ଣ୍ଣ ଖବର । ଯଦି SBIରୁ ହୋମ୍‌ ଲୋନ୍‌ କିମ୍ବା ଅନ୍ୟ କୌଣସି ଋଣ ନେଇଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ଅକ୍ଟୋବର ୧୫, ୨୦୨୬ରୁ କିଛି ଋଣର ସୁଧହାର ବୃଦ୍ଧି କରିଛି। ଏହାଦ୍ୱାରା ନିର୍ଦ୍ଦିଷ୍ଟ ସୁଧହାର ସହ ଜଡ଼ିତ ଋଣ ନେଇଥିବା ଗ୍ରାହକଙ୍କ ମାସିକ କିସ୍ତି (EMI) ବଢ଼ିବାର ସମ୍ଭାବନା ରହିଛି । ଆଜିକାଲି ମହଙ୍ଗା ମାଡ଼ ଯୋଗୁଁ ଘର ଚଳାଇବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଲୋକ ବ୍ୟାଙ୍କରୁ ଋଣ ନେଉଛନ୍ତି। ଏପରି ସ୍ଥିତିରେ ଋଣର ସୁଧହାର ବୃଦ୍ଧି ପାଇଲେ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ। SBI ରେପୋ ଲିଙ୍କ୍‌ଡ ଲେଣ୍ଡିଂ ରେଟ୍‌କୁ ୭.୫୦ ପ୍ରତିଶତରୁ ବଢ଼ାଇ ୭.୭୫ ପ୍ରତିଶତ କରିଛି । ଅର୍ଥାତ୍‌ ଏହି ସୁଧହାରରେ ୦.୨୫ ପ୍ରତିଶତ ପଏଣ୍ଟ ବୃଦ୍ଧି ହୋଇଛି। ଏହା ସହିତ କ୍ରେଡିଟ୍‌ ରିସ୍କ ପ୍ରିମିୟମ୍‌ (CRP) ମଧ୍ୟ ଯୋଡ଼ାଯିବ। ତେଣୁ ଯେଉଁ ଗ୍ରାହକଙ୍କ ଋଣର ସୁଧହାର RLLR ସହ ଜଡ଼ିତ, ସେମାନଙ୍କ ଋଣର ସୁଧ ବଢ଼ିପାରେ। ଫଳରେ ଋଣର ସର୍ତ୍ତ ଓ ପୁନଃନିର୍ଦ୍ଧାରଣ ସମୟ ଅନୁଯାୟୀ EMI ଉପରେ ପ୍ରଭାବ ପଡ଼ିପାରେ । SBI କିଛି ଅବଧିର ମାର୍ଜିନାଲ୍‌ କଷ୍ଟ ଅଫ୍‌ ଫଣ୍ଡସ୍‌ ବେସ୍‌ଡ ଲେଣ୍ଡିଂ ରେଟ୍‌ ରେ ମଧ୍ୟ ବୃଦ୍ଧି କରିଛି । ନୂଆ ସୁଧହାର ଅନୁଯାୟୀ- ୩ ମାସର MCLR: ୮.୨୫%ରୁ ବଢ଼ି ୮.୪୦% ହୋଇଛି। ୬ ମାସର MCLR: ୮.୭୫% ରହିଛି । ୧ ବର୍ଷର MCLR: ୮.୭୦%ରୁ ବଢ଼ି ୮.୮୫% ହୋଇଛି । ଏହି ପରିବର୍ତ୍ତନ ଯୋଗୁଁ MCLR ସହ ଜଡ଼ିତ କିଛି ଋଣର ସୁଧହାର ବଢ଼ିପାରେ। ତେବେ ପ୍ରତ୍ୟେକ ଗ୍ରାହକଙ୍କ EMI ତୁରନ୍ତ ବଢ଼ିବ କି ନାହିଁ, ତାହା ତାଙ୍କ ଋଣର ସର୍ତ୍ତ ଓ ସୁଧହାର ପରିବର୍ତ୍ତନର ତାରିଖ ଉପରେ ନିର୍ଭର କରିବ। ଯେଉଁ ଗ୍ରାହକଙ୍କ ଋଣ EBLR ସହ ଜଡ଼ିତ, ସେମାନେ ନିଜ ଋଣର ସୁଧହାର ଯାଞ୍ଚ କରିବା ଆବଶ୍ୟକ। ସୁଧହାର ବୃଦ୍ଧି ପରେ EMI ବଢ଼ିପାରେ କିମ୍ବା ଋଣ ପରିଶୋଧର ଅନ୍ୟ ସର୍ତ୍ତରେ ପରିବର୍ତ୍ତନ ହୋଇପାରେ। ସୂଚନା ଅନୁଯାୟୀ, SBIର ଏହି ନୂଆ ସୁଧହାର ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହୋଇଛି। ତେବେ ଗ୍ରାହକଙ୍କ EMI ଉପରେ ଏହାର ପ୍ରଭାବ କେବେଠାରୁ ପଡ଼ିବ, ତାହା ତାଙ୍କ ଋଣ କେଉଁ ବେଞ୍ଚମାର୍କ ସହ ଜଡ଼ିତ ଏବଂ ସୁଧହାର କେବେ ପୁନଃନିର୍ଦ୍ଧାରଣ ହେଉଛି, ସେଥିପରେ ନିର୍ଭର କରିବ ।

Leave a Reply

Your email address will not be published. Required fields are marked *