20 Oct 2026, Tue

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ !

ପୁଣିଥରେ ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ ଶିମିଳିପାଳ । ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାକୁ ଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ନିୟମାବଳୀ ଜାରି ହୋଇଛି। ଶିମିଳିପାଳ ଖୋଲିବା ଖବର ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର ବୈଧ କାଗଜପତ୍ର ସହ ସର୍ବନିମ୍ନ ୧୮୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବା ବାଧ୍ୟତାମୂଳକ। ଭାରୀଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ପର୍ଯ୍ୟଟକମାନେ ଶିମିଳିପାଳର ନିଜସ୍ୱ ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ଅନୁମତିପତ୍ର ବୁକିଂ କରିବେ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ ସୁଯୋଗ ମିଳିବ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଯାଞ୍ଚ କରାଯିବା ସହ ପ୍ରତ୍ୟେକ ଗାଡ଼ିରେ ଜଣେ ଲେଖାଏଁ ଅନୁମୋଦିତ ଗାଇଡ୍ ରହିବା ଆବଶ୍ୟକ । ପର୍ଯ୍ୟଟକମାନଙ୍କୁ ଅପରାହ୍ନ ୪ଟା ସୁଦ୍ଧା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଅଞ୍ଚଳ ଛାଡ଼ିବାକୁ ପଡ଼ିବ। ସେହିପରି ସନ୍ଧ୍ୟା ୬ଟା ପୂର୍ବରୁ କାଳିକାପ୍ରସାଦ କିମ୍ବା ପିଠାବଟା ଫାଟକ ଦେଇ ଅଭୟାରଣ୍ୟରୁ ବାହାରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ପର୍ଯ୍ୟଟନ ଋତୁରେ ସ୍ଥାନୀୟ ପରିବେଶ ଉନ୍ନୟନ ସମିତି (ଇଡିସି) ପକ୍ଷରୁ ପରିଚାଳିତ ଖୋଲା ଜିପ୍ ସଫାରିର ମଜା ନେଇପାରିବେ ପର୍ଯ୍ୟଟକ। ଗୁଡୁଗୁଡ଼ିଆ, ପିଠାବଟା, ଜାମୁଆଣି, ତାଳବନ୍ଧ ଓ ବରେହିପାଣିରୁ ସଫାରି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ଇକୋ-ଟୁର ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିବାକୁ ହେବ। ସକାଳ ସଫାରି ଭୋର ୫ଟା ୩୦ରୁ ପାଞ୍ଚ ଘଣ୍ଟା ଏବଂ ଅପରାହ୍ନ ସଫାରି ଦିନ ୨ଟାରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଚାଲିବ।
ସେହିପରି କୁମାରୀ, ଗୁଡୁଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିରେ ଥିବା ପ୍ରକୃତି ନିବାସରେ ରାତ୍ରିଯାପନ ପାଇଁ ଅନଲାଇନ୍‌ରେ ଅଗ୍ରୀମ ଆରକ୍ଷଣ କରିବାକୁ ହେବ।

Leave a Reply

Your email address will not be published. Required fields are marked *