ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଟେସଲା ଏହାର ଲୋକପ୍ରିୟ କାର୍ ‘ରୋଡଷ୍ଟର’ ର ଏକ ନୂତନ ଭର୍ସନ ଆଣିଛି । ୨୦୧୭ ମସିହାରେ ପ୍ରଦର୍ଶିତ ହୋଇଥିବା କନସେପ୍ଟ ପରେ କମ୍ପାନୀ ଏହାର ତିନୋଟି ଭିନ୍ନ କନଫିଗରସନ- ପରଫରମାନ୍ସ, ଥ୍ରଷ୍ଟ ଏବଂ ରକେଟ୍ ସାମ୍ନାକୁ ଆଣିଛି । ଏଥିରେ ସବୁଠାରୁ ଆକର୍ଷକ ହେଉଛି ସିଙ୍ଗଲ୍-ସିଟ୍ ରକେଟ୍ ଭର୍ସନ, ଯେଉଁଥିରେ କୋଲ୍ଡ-ଗ୍ୟାସ୍ ଥ୍ରଷ୍ଟର୍ସ ଲାଗିଛି । ଏହି ଥ୍ରଷ୍ଟର୍ସଗୁଡ଼ିକ କାର୍କୁ ଆକାଶରେ ଉଠାଇବା, ଓଲଟାଇବା ଏବଂ ବ୍ୟାରେଲ୍ ରୋଲ୍ ଭଳି ଆରେବୋଟିକ୍ ଷ୍ଟଣ୍ଟ କରିବାରେ ସକ୍ଷମ କରିଥାଏ । ସାଇନ୍ସ ଫିକ୍ସନ୍ ଫିଲ୍ମରେ କାର୍ ଉଡିବାର ଦୃଶ୍ୟ ଏବେ ସତ ହେବାକୁ ଯାଉଛି । ସିଇଓ ଏଲନ୍ ମସ୍କ ନିଜ କମ୍ପାନୀର ନୂଆ ରୋଡ୍ଷ୍ଟର୍କୁ ନେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏହି ଗାଡ଼ିରେ ଥ୍ରଷ୍ଟର୍ ଟେକ୍ନୋଲୋଜି ଥିବା କୁହାଯାଇଛି । ଏକ ପ୍ରଦର୍ଶନୀ ସମୟରେ ଗାଡ଼ିଟି ଏକ ଢାଲୁ ରାମ୍ପ୍ରୁ ଉପରକୁ ଉଠି ପୁଣି ଚକା ଉପରେ ଅବତରଣ କରିଥିଲା । ମସ୍କଙ୍କ ଘୋଷଣା ଅନୁସାରେ, ୨୦୨୮ରେ ଏହି ରୋଡ୍ଷ୍ଟର୍ର ଉତ୍ପାଦନ ଆରମ୍ଭ କରିବାର ଯୋଜନା ରହିଛି । ତେବେ ଏହା ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ ପାଇଁ କେତେ ଉପଯୋଗୀ ହେବ, ତାହା ଏବେ ବି ସ୍ପଷ୍ଟ ନୁହେଁ । ପ୍ରଥମେ ଜାଣନ୍ତୁ କ୍ଲାଇନ୍ ଭିଜନ୍ ଏୟାରକାର୍ ବିଷୟରେ । ଏହି ଗାଡ଼ିକୁ ମାତ୍ର ୯୦ ସେକେଣ୍ଡରେ କାର୍ରୁ ବିମାନର ରୂପ ଦିଆଯାଇପାରେ। ଏହାର ଆନୁମାନିକ ଆରମ୍ଭ ମୂଲ୍ୟ ୮ ଲକ୍ଷ ଡଲାର୍ରୁ ଅଧିକ, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୭ କୋଟି ଟଙ୍କାରୁ ଅଧିକ । ଦ୍ୱିତୀୟରେ ରହିଛି ଆଲେଫ୍ ମଡେଲ୍ ଏ । ଏହା ଏକ ଇଲେକ୍ଟ୍ରିକ୍ ଭେହିକିଲ୍, ଯାହା ରାସ୍ତାରେ ଚାଲିବା ସହ ଭୂଲମ୍ବ ଭାବେ ଉଡ଼ାଣ ଭରିବା ପାଇଁ ଡିଜାଇନ୍ କରାଯାଇଛି । ଏହାକୁ ନେଇ ଆମେରିକାର FAA ପକ୍ଷରୁ ସ୍ୱତନ୍ତ୍ର ଏୟାରୱର୍ଥିନେସ୍ ସାର୍ଟିଫିକେସନ୍ ମିଳି ଥିବା ରିପୋର୍ଟରେ କୁହାଯାଇଛି । ଏଥିପାଇଁ ରିଜର୍ଭେସନ୍ର ବିକଳ୍ପ ମଧ୍ୟ ରହିଛି । ତୃତୀୟରେ ରହିଛି ସାମ୍ସନ୍ ସ୍ୱିଚ୍ବ୍ଲେଡ୍। ଏହା ତିନି ଚକିଆ ଗାଡ଼ି, ଯାହାକୁ ପ୍ରାୟ ତିନି ମିନିଟ୍ରେ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇପାରେ । କିଟ୍ ଆକାରରେ ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ ୭୦ ହଜାରରୁ ୧ ଲକ୍ଷ ୯୫ ହଜାର ଡଲାର୍ ମଧ୍ୟରେ ରହିଛି । ସେହିପରି ଏରୋମୋବିଲ୍ ନାମକ ଦୁଇ ସିଟ୍ ବିଶିଷ୍ଟ ହାଇବ୍ରିଡ୍ ଗାଡ଼ି ମଧ୍ୟ ରହିଛି । ଏହାକୁ ତିନି ମିନିଟ୍ରୁ କମ୍ ସମୟ ମଧ୍ୟରେ କାର୍ରୁ ବିମାନରେ ପରିବର୍ତ୍ତନ କରାଯାଇପାରେ । ଏଥିରେ ଟର୍ବୋଚାର୍ଜଡ୍ ଇଞ୍ଜିନ୍ ସହ ଜରୁରୀକାଳୀନ ସୁରକ୍ଷା ପାଇଁ ବାଲିଷ୍ଟିକ୍ ରିକଭରି ପାରାଚ୍ୟୁଟ୍ ରହିଛି । ଏହା ବ୍ୟତୀତ ରିକ୍ଟର୍ X4, ଜେଟ୍ସନ୍ ୱାନ୍, ପିଭୋଟାଲ୍ ହେଲିକ୍ସ ଏବଂ ଏୟାର୍ ୱାନ୍ ଭଳି ବ୍ୟକ୍ତିଗତ ଉଡ଼ାଣ ଯାନ ମଧ୍ୟ ବଜାରରେ ଚର୍ଚ୍ଚାରେ ରହିଛି । ଏଥିମଧ୍ୟରୁ ଜେଟ୍ସନ୍ ୱାନ୍ର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୮ ହଜାରରୁ ୧ ଲକ୍ଷ ୪୮ ହଜାର ଡଲାର୍ ମଧ୍ୟରେ ରହିଛି । ଅନ୍ୟପଟେ, ରିକ୍ଟର୍ X4ର ମୂଲ୍ୟ ପ୍ରାୟ ୩୯ ହଜାର ୯୦୦ ଡଲାର୍ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଫ୍ଲାଇଂ କାର୍ର ବ୍ୟବହାର ପାଇଁ ବିମାନ ଚଳାଚଳ ନିୟମ, ସୁରକ୍ଷା, ଟ୍ରାଫିକ୍ କଣ୍ଟ୍ରୋଲ୍, ସହରରେ ଶବ୍ଦ ପ୍ରଦୂଷଣ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭଳି ଅନେକ ଚ୍ୟାଲେଞ୍ଜ ରହିଛି । ତେଣୁ ଏହି ଯାନଗୁଡ଼ିକ ସାଧାରଣ ଯାତାୟାତର ଅଂଶ ହେବାକୁ ଆହୁରି ସମୟ ଲାଗିପାରେ ।

