ଉତ୍ତରପ୍ରଦେଶର ଜେୱାରରେ ନିର୍ମାଣ ହୋଇଥିବା ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ନାମ ପରିବର୍ତ୍ତନ କରାଯାଇ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଲକ୍ଷ୍ନୌରେ, ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଜନସେବା ସ୍ମୃତିରେ ରାଜ୍ୟର ବିକାଶ ଏବଂ ସାଂସ୍କୃତିକ ଐତିହ୍ୟ ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିମାନବନ୍ଦର ଉତ୍ତରପ୍ରଦେଶର ସବୁଠାରୁ ବଡ଼ ବିମାନବନ୍ଦର ହେବା ସହ ଭବିଷ୍ୟତରେ ଦେଶର ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବେ ବିକଶିତ ହେବ। ଏହା ରାଜ୍ୟର ଯାତାୟାତ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । ଯୋଗୀ ଆଦିତ୍ୟନାଥ କହିଛନ୍ତି, ଉତ୍ତରପ୍ରଦେଶରେ ରାସ୍ତା, ରେଳପଥ, ମେଟ୍ରୋ ଓ ମାଲ ପରିବହନ ବ୍ୟବସ୍ଥାର ବିକାଶ ହେଉଛି। ରାଜ୍ୟରେ ୪୨ଟି ଜାତୀୟ ରାଜପଥର ୨,୪୮୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ନିବେଶ ହୋଇଛି । ଏହା ସହିତ ଦିଲ୍ଲୀ-ସାହାରନପୁର-ଡେରାଡୁନ୍ ଏକ୍ସପ୍ରେସୱେ, ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ ଏବଂ କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେ ଭଳି ପ୍ରକଳ୍ପର କାମ ଶେଷ ହୋଇଥିବା ସେ କହିଛନ୍ତି । ଦିଲ୍ଲୀ-ଗାଜିଆବାଦ-ମେରଠ ନମୋ ଭାରତ ଟ୍ରେନ୍କୁ ଦେଶର ପ୍ରଥମ ହାଇସ୍ପିଡ୍ ଆଞ୍ଚଳିକ ରେଳ ବ୍ୟବସ୍ଥା ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ପ୍ରକଳ୍ପରେ ୩୦ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଏଥିସହ ଲକ୍ଷ୍ନୌ, କାନପୁର, ଆଗ୍ରା, ମେରଠ, ଗାଜିଆବାଦ, ନୋଏଡା ଓ ଗ୍ରେଟର ନୋଏଡାରେ ମେଟ୍ରୋ ରେଳ ବ୍ୟବସ୍ଥାର ବିକାଶ ହୋଇଛି।

