ଫାଷ୍ଟଫୁଡ୍ ଦୋକାନ, ହୋଟେଲ୍ ଓ ରେସ୍ତୋରାଁ, ସ୍କୁଲ୍, ଅଙ୍ଗନବାଡ଼ି ଓ ଆବାସିକ ଶିକ୍ଷାନୁଷ୍ଠାନରେ ବି ଅଣ୍ଡାର ରହିଛି ବିଶେଷ ଚାହିଦା । ହେଲେ ଏତେ ଚାହିଦା ସତ୍ତ୍ୱେ ଅଣ୍ଡା ଉତ୍ପାଦନରେ ଏବେ ବି ଆତ୍ମନିର୍ଭର ହୋଇପାରିନି ଓଡ଼ିଶା । ଦୈନିକ ପ୍ରାୟ ଅଢ଼େଇ କୋଟି ଅଣ୍ଡାର ଆବଶ୍ୟକତା, କିନ୍ତୁ ଉତ୍ପାଦନ ହେଉଛି ମାତ୍ର ୧ କୋଟି ୨୦ ଲକ୍ଷ। ଏହି ଅଭାବ ପୂରଣ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା। କୋରାପୁଟରେ ୩ଟି ଅଣ୍ଡା ଉତ୍ପାଦନ କେନ୍ଦ୍ରରେ ଦୈନିକ ୨ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ପ୍ରାୟ ୪ ଲକ୍ଷ ଅଣ୍ଡା ବ୍ୟବହାର ହେଉଛି। ତେଣୁ ଚାହିଦା ପୂରଣ ସମ୍ଭବ ହେଉନି। ଏଠି ପ୍ରଶ୍ନ ଉଠିଛି କୋରାପୁଟରେ ଚାହିଦା ଏତେ ଅଧିକ, ତଥାପି କାହିଁକି ବଢ଼ୁନି ଅଣ୍ଡା ଉତ୍ପାଦନ ? ଚାଷୀଙ୍କୁ ଉତ୍ସାହିତ କରିବାକୁ ପ୍ରାଣୀସମ୍ପଦ ବିଭାଗ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଋଣ, ରିହାତି ଓ ବିଭିନ୍ନ ସହାୟତା ଦିଆଯାଉଛି। ତଥାପି ଲେୟର୍ ଫାର୍ମ ପ୍ରତି ବଢ଼ୁନି ଚାଷୀଙ୍କ ଆଗ୍ରହ। ଏପଟେ ଅଣ୍ଡା ଉତ୍ପାଦନର ନିଅଣ୍ଟିଆ ସ୍ଥିତି ଦୂର କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ବିଶ୍ୱ ଅଣ୍ଡା ଦିବସରେ ରାଜ୍ୟରେ ବାଣିଜ୍ୟିକ କୁକୁଡ଼ା ପାଳନ ଯୋଜନାର ଆରମ୍ଭ ହୋଇଛି। ଯୋଜନାରେ ସବସିଡିର ସର୍ବାଧିକ ସୀମାକୁ ୧ କୋଟିରୁ ବଢ଼ାଇ ୮ କୋଟି ଟଙ୍କା କରାଯାଇଛି। କେବିକେ ଅଞ୍ଚଳରେ ସହାୟତା ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ୨୫ ହଜାରରୁ ଅଧିକ କୁକୁଡ଼ା ପାଳନ କରୁଥିବା ଚାଷୀ ଓ ଉଦ୍ୟୋଗୀ ଯୋଜନାରୁ ଲାଭ ପାଇପାରିବେ। ସରକାରଙ୍କ ଲକ୍ଷ୍ୟ କେବଳ ଉତ୍ପାଦନ ବଢ଼ାଇବା ନୁହେଁ, ଓଡ଼ିଶାକୁ ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭର କରିବ। ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଏବଂ ୨୦୩୬ ସୁଦ୍ଧା ଉତ୍ପାଦନକୁ ହଜାର କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।

