ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ସ୍ବାଗତ କରିଛନ୍ତି। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ପ୍ରାୟ ୩୦୦ଜଣ ଅତିଥି ଆସିଛନ୍ତି। ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଶେଷ ହୋଇଛି। ୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ଶପଥ ଗ୍ରହଣ କରିବା ପରେ ପୁରୀ ଗସ୍ତରେ ଯିବେ। ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୁରୀ ଲୋକଭବନରେ କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଥିବା ଓଡ଼ିଶା ଲୋକଭବନ ପକ୍ଷରୁ କୁହାଯାଇଛି। ଏଣେ ରାଜ୍ୟପାଳଙ୍କ ସହ ଝାଡ଼ଖଣ୍ଡରୁ ଆସିଥିବା। ଅତିଥିମାନେ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ସହ ୪ଦିନ ଓଡ଼ିଶାରେ ରହିବେ। ତେଣୁ ଏହାକୁ ନଜରରେ ରଖି ଅକ୍ଟୋବର ୧୭ରୁ ୨୦ତାରିଖ ପର୍ଯ୍ୟନ୍ତ ସମସ୍ତ ଅତିଥିଙ୍କ ରହଣି ବ୍ୟବସ୍ଥା, ଭୁବନେଶ୍ବର ବିମାନବନ୍ଦର, ଭୁବନେଶ୍ବର ଓ ପୁରୀ ଲୋକଭବନରେ ସୁରକ୍ଷା ବ୍ୟବସ୍ଥା କରିବାକୁ ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଚିଠି ଲେଖି ଜଣାଇଛନ୍ତି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରୁ ଆରମ୍ଭ କରି ଅତିଥିଙ୍କୁ ଆତିଥ୍ୟ ପ୍ରଦାନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଯେପରି ସୁରୁଖୁରରେ ହେବ ସେଥିପାଇଁ ଗୃହ ବିଭାଗର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀଭାବେ ଲୋକଭବନର ହାଉସହୋଲ୍ଡ ଶାଖାରେ ନିଯୁକ୍ତି ଦେବାକୁ ଶ୍ରୀମତୀ ସାହୁ କହିଛନ୍ତି।

