ଆଜିଠାରୁ ମା ମଙ୍ଗଳାଙ୍କ ପୀଠରେ ୯ ଦିନ ଧରି ଜଳିବ ଅଖଣ୍ଡ ଦୀପ। ବିଭିନ୍ନ ବେଶରେ ଦର୍ଶନ ଦେବେ ମା’। ଆଜିଠାରୁ ମାଆଙ୍କ ନବରାତ୍ର ଓ ନବପତ୍ରିକା ପୂଜା ଆରମ୍ଭ ହେଉଛି। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ଶକ୍ତିପୀଠ। କାକଟପୁରର ଆରାଧ୍ୟା ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ମା’ଙ୍କ ପାଦପଦ୍ମ ଲାଗି ହେବା ସହ ଶିଶୁକାଠରେ ନିର୍ମିତ ମା’ଙ୍କ ପାଦ ଦର୍ଶନ କରିବେ ଭକ୍ତ। ପରିବାରର ମଙ୍ଗଳ କାମନା କରି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଆସି ପୂଜାର୍ଚ୍ଚନା କରୁଛନ୍ତି। ନବରାତ୍ରରେ ନାଲି କଳିବେଶ, କଳା କଳିବେଶ, ସିଂହବାହିନୀ, ମହିଷାମର୍ଦ୍ଦିନୀ ଓ ଶାନ୍ତି ବେଶରେ ଦର୍ଶନ ଦେବେ ମା’। ବିଜୟା ଦଶମୀରେ ମା’ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ନବରାତ୍ରିର ୯ଦିନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଏହି ୯ଦିନ ଲୋକେ ଦେବୀଙ୍କ ୯ରୁପକୁ ପୂଜା କରିଥାନ୍ତି । ଏହି ୯ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ମା’ ଦୁର୍ଗାଙ୍କ ପୂଜା କଲେ ଭକ୍ତଙ୍କ ସବୁ ଇଚ୍ଛା ପୂରା ହୋଇଥାଏ ବୋଲି ବିଶ୍ୱାସ ରହିଛି । ନବରାତ୍ରି ସାରା ଦେଶରେ ପାଳନ କରାଯାଏ । ଭକ୍ତମାନେ ୯ ଦିନ ବ୍ରତ ପାଳନ କରନ୍ତି । ୧.ନବରାତ୍ରି ବ୍ରତ ପାଳନ ପାଇଁ ପ୍ରଥମ ଦିନରେ କଳସ ସ୍ଥାପନା କରଯାଏ.
୨. ଶ୍ରଦ୍ଧା ଓ ଭକ୍ତିର ସହ ମା’ଙ୍କ ପୂଜା କରଯାଏ
୩. ଅପରାହ୍ନ ସମୟରେ ଫଳ ଓ କ୍ଷୀର ଆହାର କରାଯାଏ
୪. ସନ୍ଧ୍ୟା ସମୟରେ ମା’ଙ୍କ ଆଳତୀ ହୁଏ
୫. ପ୍ରସାଦ ସମସ୍ତଙ୍କୁ ବାଣ୍ଟି ଓ ନିଜେ ଗ୍ରହଣ କରିଥାନ୍ତି
୬. ପ୍ରସାଦ ବଣ୍ଟନ ପରେ ଭୋଜନ ଗ୍ରହଣ କରାଯାଏ
୭. କିଛି ସ୍ଥାନରେ ୯ ଦିନ ଅନ୍ନ ଗ୍ରହଣ ନ କରି କେବଳ ଫଳ ଆହାର କରାଯାଏ
୮. ଅଷ୍ଟମୀ କିମ୍ବା ନବମୀ ଦିନ ୯ କନ୍ୟାଙ୍କୁ ଭୋଜନ କରାଇ ସେମାନଙ୍କୁ ଉପହାର ଏବଂ ଦକ୍ଷିଣା ଦିଆଯାଏ
୯. ଶେଷରେ ଯଦି ସମ୍ଭବ ହୁଏ ତାହେଲେ ନବମୀ ଦିନ ହୋମ କରି ବ୍ରତ ସମାପନ କରଯାଏ

