ଚଳିତ ବର୍ଷ ଚିନି ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ଏବେ ବର୍ଦ୍ଧିତ ଦରରେ ରୋକ ଲଗାଇବା ପାଇଁ ଯୋଜନା କରୁଛନ୍ତି ସରକାର । ଚଳିତ ବର୍ଷ ଦୁର୍ବଳ ମୌସୁମୀ ଏବଂ ଏଲ୍ ନିନୋ ପ୍ରଭାବରେ ଦେଶରେ ଆଖୁ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା ରହିଛି। ଏହାଦ୍ୱାରା ଚିନି ଯୋଗାଣ କମିବା ସହ ବିଶ୍ୱ ବଜାରରେ ଚିନି ଦର ବୃଦ୍ଧି ପାଇଛି। ତେଣୁ ଦେଶରେ ଚିନିର ଉପଲବ୍ଧତା ବଜାୟ ରଖିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ସମେତ ୫ଟି ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ପ୍ରାୟ ୧୧ ହଜାର ନିୟୁତ ଲିଟର ଇଥାନଲ କିଣିବା ପାଇଁ ଟେଣ୍ଡର ଜାରି କରିଛନ୍ତି। ଏଥିରେ ଆଖୁ ରସ, ଚିନି, ଚିନି ସିରପ୍ ଏବଂ ବି-ହେଭି ମୋଲାସେସ୍ରୁ ପ୍ରସ୍ତୁତ ଇଥାନଲ କିଣାଯିବ ନାହିଁ। ତେବେ ସି-ହେଭି ମୋଲାସେସ୍, ମକା, ନଷ୍ଟ ହୋଇଥିବା ଖାଦ୍ୟଶସ୍ୟ ଏବଂ ଭାରତୀୟ ଖାଦ୍ୟ ନିଗମର ଅତିରିକ୍ତ ଚାଉଳରୁ ପ୍ରସ୍ତୁତ ଇଥାନଲ ଯୋଗାଣକୁ ଅନୁମତି ମିଳିବ। ପେଟ୍ରୋଲରେ ଇଥାନଲ ମିଶାଇ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରତା କମାଇବା ସହ ଚାଷୀଙ୍କ ଆୟ ବଢ଼ାଇବା ସରକାରଙ୍କ ଲକ୍ଷ୍ୟ। ଭାରତ ୨୦୨୫ରେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ହାସଲ କରିଥିଲା ।

