ବାଲ୍ୟବିବାହକୁ ନେଇ ଚିନ୍ତାରେ ଓଡିଶା । ଏନ୍ଏଫ୍ଏଚ୍ଏସ୍-୬ ରିପୋର୍ଟ ଅନୁଯାୟୀ ନବରଙ୍ଗପୁରରେ କନ୍ୟା ବାଲ୍ୟ ବିବାହ ହାର ୩୯.୪ ପ୍ରତିଶତରୁ ୨୭.୧ ପ୍ରତିଶତକୁ ହ୍ରାସ ପାଇଛି । ଏଥିସହ ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ବୃଦ୍ଧି ପାଇଥିବା ବେଳେ ଏହି ତାଲିକାରେ ସର୍ବାଗ୍ରେ ରହିଛି ମାଲକାନଗିରି ଜିଲ୍ଲା । ଜାତୀୟ ସ୍ତରରେ ରାଜ୍ୟର ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ ଜିଲ୍ଲାୱାରୀ ତଥ୍ୟ ଚିନ୍ତା ବଢାଇଛି । ବାଲ୍ୟ ବିବାହ ମୁକ୍ତ ରାଜ୍ୟ ପାଇଁ ସ୍ୱପ୍ନ ଦେଖୁଛି ଓଡ଼ିଶା । କିନ୍ତୁ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ଦେଖାଇଛି ଅସଲ ଚିତ୍ର । ଏନ୍ଏଫ୍ଏଚ୍ଏସ୍-୫ ଏବଂ ଏନ୍ଏଫ୍ଏଚ୍ଏସ୍-୬ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୨୦ରୁ ୨୪ ବର୍ଷୀୟା ମହିଳାଙ୍କ ମଧ୍ୟରେ ବାଲ୍ୟବିବାହ ହାର ହ୍ରାସ ପାଇଛି । ଏହି ବର୍ଗରେ ୧୮ ବର୍ଷ ହେବା ପୂର୍ବରୁ ବିବାହ କରିଥିବା ମହିଳାଙ୍କ ହାର ୨୦.୫ ପ୍ରତିଶତରୁ ଖସି ୧୮.୬ ପ୍ରତିଶତ ହୋଇଛି । କିନ୍ତୁ ସମାନ ସମୟରେ ୧୨ ଜିଲ୍ଲାରେ କନ୍ୟା ବାଲ୍ୟବିବାହ ହାର ବଢିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଉଭୟ ଏନ୍ଏଫ୍ଏଚ୍ଏସ୍-୫ ଏବଂ ଏନ୍ଏଫ୍ଏଚ୍ଏସ୍-୬ ତଥ୍ୟ ଅନୁଯାୟୀ ୪ ଜିଲ୍ଲାରେ କନ୍ୟା ବାଲ୍ୟ ବିବାହ ହାର ପୂର୍ବ ରେକର୍ଡ ତୁଳନାରେ ଅହେତୁକ ବୃଦ୍ଧି ପାଇଛି । ଏହିକ୍ରମରେ ବରଗଡ଼ ଜିଲ୍ଲାରେ ୮.୬% ରୁ ୧୪.୯% ବାଲ୍ୟବିବାହ ହାରରେ ବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ରାୟଗଡ଼ା ୧୯.୧% ରୁ ୨୪.୮%, ଅନୁଗୋଳ ୨୫.୦% ରୁ ୩୦.୨% ଏବଂ ସମ୍ବଲପୁର ଜିଲ୍ଲାରେ ୭.୪% ରୁ ୧୦.୪% ବୃଦ୍ଧି ରେକର୍ଡ ହୋଇଛି । ଏହା ବ୍ୟତୀତ ୧୨ ଜିଲ୍ଲା ଏବେ ବି ବାଲ୍ୟବିହାରରେ ରାଜ୍ୟ ହାରଠାରୁ ଉପରେ ଅଛନ୍ତି ବୋଲି ଏନ୍ଏଫ୍ଏଚ୍ଏ୍ସ-୬ ନୂତନ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

