ଦିନେ ଯେଉଁ ଓଷଧୀୟ ଗଛଲତା ଗାଁ ଗହଳିରେ ରୋଗର ଉପଚାର ହେଉଥିଲା, ଆଜି ସେହି ଔଷଧୀୟ ଉଦ୍ଭିଦ ଧୀରେ ଧୀରେ ହଜିଯାଉଛି। ଆୟୁର୍ବଦ ଶାସ୍ତ୍ର ଅନୁସାରେ ଏମିତି ଅନେକ ଗଛ ରହିଛି ଯାହା ଭୟଙ୍କର ରୋଗର ଉପଚାର କରିପାରେ । ତେବେ ଶ୍ୱେତ ଅରଖ, ବିଡ଼ଙ୍ଗ, ବାଇବିଡ଼ଙ୍ଗ ଭଳି ଉଦ୍ଭିଦ ଦୁର୍ଲଭ ହୋଇପଡ଼ିଥିବା ବେଳେ ଆଉ ୪୧ ପ୍ରଜାତି ମଧ୍ୟ ବିଲୁପ୍ତିର ଦ୍ୱାରଦେଶରେ। ଶ୍ୱେତ ଅରଖ, ବିଡ଼ଙ୍ଗ ଓ ବାଇବିଡ଼ଙ୍ଗ ଭଳି ଅନେକ ଔଷଧୀୟ ଉଦ୍ଭିଦ ଏବେ ଓଡ଼ିଶାରେ ଦୁର୍ଲଭ ହୋଇପଡ଼ିଛି। ଗାଁ ଗହଳିରେ ପିଢ଼ି ପରେ ପିଢ଼ି ବ୍ୟବହାର ହୋଇଆସୁଥିବା ଏହି ଗଛଲତାର ଔଷଧୀୟ ଗୁଣ ଏବେ ଧୀରେ ଧୀରେ ଅଲୋପ ହେବାକୁ ବସିଛି । ଅଶୋକ, ବରୁଣ, ପାଞ୍ଚ ଆଙ୍ଗୁଳିଆ, ଓଡ଼ଶମାରୀ, ଗଜପିପଳି, ପଶାରୁଣି, ଲୋଧା, ଇଶ୍ୱରଜଟା, ଶାଳପର୍ଣ୍ଣି, କୃଷ୍ଣପର୍ଣ୍ଣି ଓ ନାଗବୋଳା ଭଳି ଆଉ ୪୧ଟି ଔଷଧୀୟ ବୃକ୍ଷ ଓ ଗୁଳ୍ମ ପ୍ରଜାତିକୁ ନେଇ ଚିନ୍ତା ବଢ଼ିଛି। ବିଶେଷଜ୍ଞଙ୍କ ମତରେ, ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନିଆନଗଲେ ଏହି ଦୁର୍ଲଭ ଉଦ୍ଭିଦଗୁଡ଼ିକ ଆଗାମୀ ଦିନରେ ଆହୁରି ଦୁର୍ଲଭ ହୋଇପାରନ୍ତି। ଜଙ୍ଗଲ ବଦଳୁଛି । ଆଉ ତା’ ସହ ହଜିଯାଉଛି ପ୍ରକୃତିର ଔଷଧ ଭଣ୍ଡାର । ଅନୁଗୁଳର ସାତକୋଶିଆ ସମେତ ମନ୍ଦରଗିରି, ମାଲ୍ୟଗିରି ଓ ପଞ୍ଚଧାରା ପାହାଡ଼ ଅଞ୍ଚଳରେ ଦିନେ ଏହି ଉଦ୍ଭିଦଗୁଡ଼ିକ ଦେଖିବାକୁ ମିଳୁଥିଲା। କିନ୍ତୁ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଉପରେ ବଢ଼ୁଥିବା ଚାପ ଓ ମାନବୀୟ ହସ୍ତକ୍ଷେପ ଯୋଗୁଁ ଏହାର ଅସ୍ତିତ୍ୱ ଏବେ ପ୍ରଶ୍ନରେ । ଗାଁର ବୟସ୍କ ଲୋକ ଓ ପାରମ୍ପରିକ ବଇଦମାନଙ୍କ ପାଖରେ ରହିଛି ଏହି ଉଦ୍ଭିଦଗୁଡ଼ିକର ବ୍ୟବହାର ସମ୍ପର୍କିତ ପାରମ୍ପରିକ ଜ୍ଞାନ। କିନ୍ତୁ ସେହି ଜ୍ଞାନକୁ ଦଲିଲଭୁକ୍ତ କରାନଗଲେ, ପରବର୍ତ୍ତୀ ପିଢ଼ି ପାଖରେ ହୁଏତ ଏହାର କୌଣସି ଚିହ୍ନ ରହିବନି । ତେଣୁ ଦୁର୍ଲଭ ଉଦ୍ଭିଦର ସଂରକ୍ଷଣ ସହ ପାରମ୍ପରିକ ଜ୍ଞାନକୁ ମଧ୍ୟ ସୁରକ୍ଷିତ କରିବାର ଆବଶ୍ୟକତା ରହିଛି।

