19 Oct 2026, Mon

ଏସିଆନ ଗେମ୍ସର ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ,

କ୍ରିକେଟ ମଇଦାନରେ ସବୁ ମ୍ୟାଚ୍ ଭିତରେ ଭାରତ ପାକିସ୍ତାନ ମ୍ୟାଚ୍ ଦେଖିବାକୁ ଟିକେ ଅଧିକ ଆଗ୍ରହ ଦେଖିବାକୁ ମିଳେ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ଭିତରେ ଲଢେଇ ମଧ୍ୟ ଜବରଦସ୍ତ ହୋଇଥାଏ । ତେବେ ପୁଣି କ୍ରିକେଟରେ ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ଲଢ଼େଇ। ଜାପାନରେ ଚାଲିଥିବା ଏସିଆନ ଗେମ୍ସର ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଶନିବାର ସ୍ୱର୍ଣ୍ଣ ପଦକ ପାଇଁ ଦୁଇ ଦେଶ ପରସ୍ପରକୁ ଟକ୍କର ଦେବେ। ପ୍ରଥମ ସେମିରେ ବାଂଲାଦେଶକୁ ହରାଇ ପାକିସ୍ତାନ ଫାଇନାଲ ଟିକେଟ ହାତେଇଛି। ଭାରତ ମଧ୍ୟ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ସ୍ୱର୍ଣ୍ଣ ଲଢ଼େଇରେ ପ୍ରବେଶ କରିଛି। ଭାରତ ଓ ପାକିସ୍ତାନ ଶନିବାର ଦିନ ୯.୩୦ରେ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ। ସେହିପରି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବ ବ୍ରୋଞ୍ଜ ପଦକ ଲଢ଼େଇ। ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିରେ ଶ୍ରେୟସ ଆୟରଙ୍କ ଭାରତ ବିଶାଳ ୧୨୪ ରନରେ ଶ୍ରୀଲଙ୍କାକୁ ମାତ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଈଶାନ କିଶନଙ୍କ ଅପରାଜିତ ୮୦ ରନ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ୩୮ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୯ ରନ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୯.୫ ଓଭରରେ କେବଳ ୪୫ ରନ କରି ଅଲଆଉଟ ହୋଇ ଯାଇଛି। ଭାରତୀୟ ବୋଲର ଆରମ୍ଭରୁ ହିଁ ନିଜର ଜଲୱା ଦେଖାଇଥିଲେ। ପ୍ରଥମ ଓଭରରେ ଯଶପ୍ରୀତ ବୁମ୍ରା ୨ଟି ୱିକେଟ ନେଇଥିବା ବେଳେ ତୃତୀୟ ୱିକେଟ ରବି ବିଷ୍ଣୋଇ ରନ ଆଉଟ ରୂପରେ ହାସଲ କରିଥିଲେ। ବୁମ୍ରାଙ୍କ ବ୍ୟତୀତ ଅକ୍ଷର ପଟେଲ ୨ଟି ଓ ୱାଶିଂଟନ ସୁନ୍ଦର ମଧ୍ୟ ଗୋଟିଏ ସଫଳତା ପାଇଛନ୍ତି। ମ୍ୟାଚ୍‌ର ୧୦ତମ ଓଭର ବୋଲିଂ କରିବାକୁ ଆସିଥିଲେ ଅଭିଷେକ ଶର୍ମା। ସେ ମାତ୍ର ୫ଟି ବଲରେ ୨ ରନ ଦେଇ ୨ଟି ୱିକେଟ ପାଇଛନ୍ତି। ସେହିପରି ଏହି ଓଭରରେ ଭାରତକୁ ରନଆଉଟ ରୂପରେ ମଧ୍ୟ ଗୋଟିଏ ସଫଳତା ମିଳିଛି। ଭାରତ ଅଭିଷେକଙ୍କ ଓଭର ୩ ବଲରେ ୩ ୱିକେଟ ହାସଲ କରିବାରୁ ଶ୍ରୀଲଙ୍କା ୪୫ ରନରେ ଅଟକି ଯାଇଛି। ଶ୍ରୀଲଙ୍କା ପକ୍ଷରୁ ଏନ ଫର୍ଣ୍ଣାଣ୍ଡୋ(୧୫)ଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ମାରି ନାହାନ୍ତି। ଏହି ବିଜୟ ସହ ଭାରତ ଏସିଆନ ଗେମ୍ସ ୨୦୨୬ ଫାଇନାଲରେ ପ୍ରବେଶ କରିଛି। ଏହାପୂର୍ବରୁ ପାକିସ୍ତାନ ୬ ୱିକେଟରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ବର୍ଷା ଯୋଗୁ ଏହି ମ୍ୟାଚ୍‌କୁ ୧୩ ଓଭର ବିଶିଷ୍ଟ କରାଯାଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୩ ଓଭରରେ ୭ ୱିକେଟ ହରାଇ ୧୧୧ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ଏକଦା ମାଟି କାମୁଡ଼ିଥିଲା। କିନ୍ତୁ ଶେଷ ଭାଗରେ ଅବଦୁଲ ସମନ ୧୫ ବଲରେ ଅପରାଜିତ ୩୦ ରନର ଇନିଂସ ଖେଳିବାରୁ ପାକିସ୍ତାନ ୯ ବଲ ପୂର୍ବରୁ ୪ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି।

Leave a Reply

Your email address will not be published. Required fields are marked *