ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଲୋକଙ୍କ ସମର୍ଥନ ପାଇବା ପାଇଁ ଏବେ ଠୁ ଲାଗିପଡିଲେଣି ପ୍ରମୁଖ ଦଳ । ତେବେ କେବେ ହେବ ନିର୍ବାଚନ ତାକୁ ନେଇ ଏବେ ବି ଦ୍ବନ୍ଦ୍ବ ରହିଛି । ଏହା ଭିତରେ ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ ବୋଲି କହିଛନ୍ତି ମନ୍ତ୍ରୀ । ସବୁକିଛି ଠିକଠାକ୍ ରହିଲେ ଧାର୍ଯ୍ୟ ସମୟ ଅନୁସାରେ ନିର୍ବାଚନ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ ରବି ନାୟକ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ନିର୍ବାଚନକୁ ନେଇ ଆବଶ୍ୟକ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ଏହାର ପ୍ରଭାବ ନିର୍ବାଚନ ତାରିଖ ଉପରେ ପଡ଼ିପାରେ। ଯଦି ରାଜ୍ୟ ନିର୍ବାଚନ କମିଶନ୍ ଜନଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ନିର୍ବାଚନରେ ବିଳମ୍ବ ଆବଶ୍ୟକ ବୋଲି ଅନୁଭବ କରନ୍ତି, ତେବେ ପଞ୍ଚାୟତ ନିର୍ବାଚନ ପ୍ରାୟ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଘୁଞ୍ଚିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ବିଳମ୍ବ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଧାର୍ଯ୍ୟ ସମୟରେ ନିର୍ବାଚନ କରାଇବା ନେଇ ସରକାର ପ୍ରସ୍ତୁତି ଜାରି ରଖିଛନ୍ତି। ଆଗାମୀ ଦିନରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାରେ ଚୂଡ଼ାନ୍ତ ସମୟସୂଚୀ ସ୍ପଷ୍ଟ ହେବ।

