20 Oct 2026, Tue

କେତେ ବର୍ଷ ପର୍ଯ୍ୟନ୍ତ ମାଆ କ୍ଷୀର ଖାଇପାରିବ ଶିଶୁ ?

ଶିଶୁ ଜନ୍ମ ହେବା ପରେ ମାଆ କ୍ଷୀର ହେଉଛି ତା’ର ପ୍ରଥମ ଏବଂ ପ୍ରମୁଖ ପୋଷଣର ଉତ୍ସ । କିନ୍ତୁ ଅନେକ ଅଭିଭାବକଙ୍କ ମନରେ ପ୍ରଶ୍ନ ଥାଏ ଶିଶୁକୁ କେତେ ଦିନ ପର୍ଯ୍ୟନ୍ତ ମାଆ କ୍ଷୀର ଦିଆଯିବ ? ଛଅ ମାସ ପରେ କ’ଣ ସ୍ତନ୍ୟପାନ ବନ୍ଦ କରିଦେବା ଉଚିତ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHO ଏବଂ UNICEFର ସୁପାରିଶ ଅନୁସାରେ, ଶିଶୁ ଜନ୍ମ ପରେ ପ୍ରଥମ ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଇବା ଉଚିତ। ଏହାପରେ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ଦେବାକୁ କୁହାଯାଇଛି। ଅର୍ଥାତ୍ ଏହି ସମୟରେ ଶିଶୁକୁ ପାଣି, କିମ୍ବା ଅନ୍ୟାନ୍ୟ ଖାଦ୍ୟ ଦେବାର ଆବଶ୍ୟକତା ନାହିଁ ।

ତେବେ ୬ ମାସ ପରେ ମାଆ କ୍ଷୀର ବନ୍ଦ କରିବାକୁ ପଡ଼ିବ କି? ବାସ୍ତବରେ ୬ ମାସ ବୟସରୁ ଶିଶୁର ବଢ଼ୁଥିବା ପୋଷଣ ଆବଶ୍ୟକତା ପୂରଣ ପାଇଁ ମାଆ କ୍ଷୀର ସହିତ ଅନ୍ୟାନ୍ୟ ପୋଷଣଯୁକ୍ତ ଏବଂ ସୁରକ୍ଷିତ ପୂରକ ଖାଦ୍ୟ ଆରମ୍ଭ କରିବା ଦରକାର। ଏହାକୁ କୁହାଯାଏ Complementary Feeding ବା ପୂରକ ଖାଦ୍ୟ। WHOର ବର୍ତ୍ତମାନର ସୁପାରିଶ ଅନୁସାରେ, ଶିଶୁକୁ ୨ ବର୍ଷ ବୟସ ପର୍ଯ୍ୟନ୍ତ କିମ୍ବା ତା’ଠାରୁ ଅଧିକ ସମୟ ମାଆ କ୍ଷୀର ଦିଆଯାଇପାରେ । ଅର୍ଥାତ୍ ୨ ବର୍ଷ ହେଲେ ନିଶ୍ଚିତ ଭାବେ ସ୍ତନ୍ୟପାନ ବନ୍ଦ କରିବାକୁ ପଡ଼ିବ ଏଭଳି କୌଣସି ସୀମା WHO ଦେଇନାହିଁ । ମାଆ ଓ ଶିଶୁ ଉଭୟ ଚାହିଁଲେ ଏହା ପରେ ମଧ୍ୟ ସ୍ତନ୍ୟପାନ ଜାରି ରହିପାରେ । ଏଠାରେ ଆଉ ଏକ କଥା ଗୁରୁତ୍ୱପୂର୍ଣ୍ଣ। ୬ ମାସ ପରେ ମାଆ କ୍ଷୀର ଶିଶୁର ଖାଦ୍ୟର ଏକ ଅଂଶ ହୋଇ ରହିଥାଏ, କିନ୍ତୁ ବଢ଼ୁଥିବା ଶିଶୁର ସମସ୍ତ ପୋଷଣ ଆବଶ୍ୟକତା କେବଳ ମାଆ କ୍ଷୀରରୁ ପୂରଣ ହୁଏ ନାହିଁ। ତେଣୁ ବୟସ ଅନୁଯାୟୀ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ। WHO କହୁଛି, ୬ରୁ ୮ ମାସ ବୟସରେ ସାଧାରଣତଃ ଦିନକୁ ୨ରୁ ୩ ଥର ପୂରକ ଖାଦ୍ୟ ଦିଆଯାଇପାରେ । ୯ରୁ ୨୩ ମାସ ମଧ୍ୟରେ ଏହାକୁ ୩ରୁ ୪ ଥର କରାଯାଇପାରେ, ଆବଶ୍ୟକତା ଅନୁସାରେ ପୋଷଣଯୁକ୍ତ ସ୍ନାକ୍ସ ମଧ୍ୟ ଦିଆଯାଇପାରେ। ତେଣୁ ସରଳ ଭାବରେ କହିଲେ ଜନ୍ମରୁ ୬ ମାସ କେବଳ ମାଆ କ୍ଷୀର। ୬ ମାସ ପରେ ମାଆ କ୍ଷୀର ସହିତ ପୂରକ ଖାଦ୍ୟ। ୨ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବାକୁ WHO ସୁପାରିଶ କରେ, ଏବଂ ୨ ବର୍ଷ ପରେ ମଧ୍ୟ ମାଆ ଓ ଶିଶୁ ଚାହିଁଲେ ଜାରି ରହିପାରେ । ତେବେ ପ୍ରତ୍ୟେକ ଶିଶୁର ପୋଷଣ ଆବଶ୍ୟକତା ଅଲଗା ହୋଇପାରେ । ଶିଶୁର ବୃଦ୍ଧି, ଓଜନ କିମ୍ବା ଖାଦ୍ୟ ସମ୍ପର୍କରେ କୌଣସି ଚିନ୍ତା ଥିଲେ ଶିଶୁରୋଗ ବିଶେଷଜ୍ଞ କିମ୍ବା ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ଉଚିତ ।

Leave a Reply

Your email address will not be published. Required fields are marked *