ଭାରତ ଏବଂ ଶ୍ରୀଲଙ୍କା ମହିଳା ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଉପେର ସଭିଙ୍କ ନଜର । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ନଜର ଅଷ୍ଟମ ଏସିଆ କପ୍ ଟାଇଟଲ୍ ଉପରେ ରହିଛି। ଭାରତ ପାଇଁ ଏହି ଟାଇଟଲ୍ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟିମ୍ ଇଣ୍ଡିଆ ୨୦୨୪ ଫାଇନାଲରେ ଶ୍ରୀଲଙ୍କା ହାତରୁ ମିଳିଥିବା ୮ ୱିକେଟର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରବିବାର ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ଚମାରୀ ଅଟାପଟ୍ଟୁଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଦଳ ସାମ୍ନାରେ ନିଜର ଟାଇଟଲ୍ ବଞ୍ଚାଇବାକୁ ଚ୍ୟାଲେଞ୍ଜ ରହିବ। ଉଭୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ମଧ୍ୟ ହାରି ନାହାନ୍ତି।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍ (Playing XI): ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର (ଅଧିନାୟିକା), ରିଚା ଘୋଷ (ୱିକେଟ୍ କିପର), ଭାରତୀ ଫୁଲମାଲି, ଦୀପ୍ତି ଶର୍ମା, ପ୍ରେମା ରାୱତ, କ୍ରାନ୍ତି ଗୌଡ଼, ଏନ୍. ଶ୍ରୀ ଚରଣୀ ଓ ନନ୍ଦିନୀ ଶର୍ମା।
ଶ୍ରୀଲଙ୍କାର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍ (Playing XI): ଇମେଶା ଦୁଲାନୀ, ଚମାରୀ ଅଟାପଟ୍ଟୁ (ଅଧିନାୟିକା), ସଞ୍ଜନା କବିନ୍ଦୀ, ହର୍ଷିତା ସମରବିକ୍ରମା, ହସିନୀ ପେରେରା, କବିଶା ଦିଲହାରୀ, ନିଲାକ୍ଷିକା ସିଲଭା, କୌଶିନୀ ନୁଥ୍ୟାଙ୍ଗନା (ୱିକେଟ୍ କିପର), ସୁଗନ୍ଧିକା କୁମାରୀ, ଚାମୁଡି ପ୍ରବୋଧା ଏବଂ ମିଥାଲୀ ଅଯୋଧ୍ୟା।
ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ। ଦଳ ଗ୍ରୁପ୍-ଏ’ରେ ଛଅ ପଏଣ୍ଟ ସହ ଶୀର୍ଷ ସ୍ଥାନ ହାସଲ କରିଥିଲା ଏବଂ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ବିଜୟ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ବିଶେଷ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ ଦଳ ଟି-୨୦ କ୍ରିକେଟ୍ରେ ନିଜର ସର୍ବନିମ୍ନ ସ୍କୋରରେ ଅଲ୍ଆଉଟ୍ ହୋଇଯାଇଥିଲା। ବର୍ତ୍ତମାନ ଭାରତୀୟ ଦଳ ସାମ୍ନାରେ ଶେଷ ଚ୍ୟାଲେଞ୍ଜ ହେଉଛି ଶ୍ରୀଲଙ୍କା। ଭାରତ ଏବଂ ଶ୍ରୀଲଙ୍କା ଦଳ ଶେଷ ଥର ପାଇଁ ୩୦ ଡିସେମ୍ବର ୨୦୨୫ରେ ତିରୁବନନ୍ତପୁରମଠାରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ସେହି ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ୧୫ ରନ୍ରେ ପରାସ୍ତ କରିଥିଲା। ଭାରତ ସେହି ଟି-୨୦ ସିରିଜ୍ରେ ଶ୍ରୀଲଙ୍କାକୁ ୫-୦ରେ କ୍ଲିନ୍ ସ୍ୱିପ୍ କରିଥିଲା। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ବିଗତ ୧୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟରୁ ଭାରତ ନଅଟି ମ୍ୟାଚ୍ ଜିତିଛି। ତେବେ ଶ୍ରୀଲଙ୍କା ଚଳିତ ଏସିଆ କପ୍ର ଶେଷଥର ବିଜେତା ରହିଛି। ତେଣୁ ଫାଇନାଲରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ମିଳିବାର ଆଶା କରାଯାଉଛି।

