20 Oct 2026, Tue

ଗଞ୍ଜାମ ସହ କଟକରେ ଦୁର୍ବଳ ବିଜେଡି ସଂଗଠନ ?

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ସଂଗଠନ ସଜାଡିବାକୁ ଲାଗିପଡିଛନ୍ତି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ । ତେବେ ଏ ସବୁ ଭିତରେ ରାଜ୍ୟରେ ବଡ ଚର୍ଚ୍ଚା ହେଉଛି ନବୀନ ଓ ବିଜେଡିର ଲୋକପ୍ରିୟତା । ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ଦୁର୍ବଳତା ଥିବା ବେଳେ ଦଳ କିନ୍ତୁ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଦୁର୍ବଳ ହେଉଥିବା ଖବର ଏବେ କାହାକୁ ଅଛପା ନାହିଁ । ଯଦିଓ ନିର୍ବାଚନ ପରେ ବାସ୍ତବ ଚିତ୍ର ସାମ୍ନାକୁ ଆସିବ । କିନ୍ତୁ ଗଞ୍ଜାମ ଓ କଟକକୁ ନେଇ ଆଲୋଚନା ଏବେ ତିବ୍ର ହୋଇଛି । ଗଞ୍ଜାମ ଜିଲ୍ଲାକୁ ନବୀନଙ୍କ ଗଡ କୁହାଯାଉଥିବା ବେଳେ ନବୀନଙ୍କ ଅନୁପସ୍ଥିତି ଗଞ୍ଜାମବାସୀଙ୍କୁ ନିରାଶ କରିଥିବା ଅନୁମେୟ କରିହୁଏ । ରାଜନୈତିକ ବିଶ୍ଳେଶକଙ୍କ ମତରେ ଗଞ୍ଜାମ ପରେ ଏବେ କଟକକୁ ନେଇ ମଧ୍ୟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନ ପରେ ଓଡ଼ିଶାର ରାଜନୀତିର ସମୀକରଣ ବଦଳିଛି । ଦୀର୍ଘ ସମୟ ଧରି ରାଜ୍ୟରେ ପ୍ରଭାବଶାଳୀ ଥିବା ବିଜେଡି ଏବେ ବିରୋଧୀ ଦଳରେ । ୨୦୨୪ ନିର୍ବାଚନ ଫଳାଫଳକୁ ଦେଖିଲେ କଟକ ଲୋକସଭା ଆସନରେ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କୁ ପରାସ୍ତ କରି ବିଜେପିର ଭର୍ତ୍ତୃହରି ମହତାବ ବିଜୟୀ ହୋଇଥିଲେ । ସେହିପରି କଟକ ସଦର ଆସନରେ ମଧ୍ୟ ବିଜେପିର ପ୍ରକାଶ ଚନ୍ଦ୍ର ସେଠୀ ବିଜେଡିର ଚନ୍ଦ୍ର ସାରଥୀ ବେହେରାଙ୍କୁ ପରାସ୍ତ କରିଥିଲେ । ଅର୍ଥାତ୍‌, କଟକରେ ବିଜେଡିର ପୂର୍ବ ଦବଦବାକୁ ନେଇ ୨୦୨୪ ଫଳାଫଳ ଏକ ନୂଆ ସଙ୍କେତ ଦେଇଥିଲା । ଏହାପରେ ଦଳୀୟ ସଂଗଠନକୁ ନେଇ ଆଉ ଏକ ବଡ଼ ପ୍ରଶ୍ନ ହେଉଛି ବଡ଼ ନେତାଙ୍କ ଦଳବଦଳ। ୨୦୨୪ ନିର୍ବାଚନ ପୂର୍ବରୁ କଟକର ତତ୍କାଳୀନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିଜେପିରେ ଯୋଗଦେଇଥିଲେ ଏବଂ ପରେ କଟକରୁ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ । କେବଳ ନିର୍ବାଚନ ଫଳାଫଳ ନୁହେଁ, ୨୦୨୬ରେ ମଧ୍ୟ ବିଜେଡିରୁ ନେତାଙ୍କ ଦଳବଦଳ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି । ଦେବାଶିଷ ସାମନ୍ତରାୟଙ୍କ ବିଜେପି ଯୋଗଦାନକୁ ମଧ୍ୟ କଟକ ଓ ଜଗତସିଂହପୁର ଅଞ୍ଚଳରେ ବିଜେପିର ସଂଗଠନ ବଢ଼ାଇବାର ଏକ ପଦକ୍ଷେପ ଭାବେ ରାଜନୈତିକ ଭାବେ ବିଶ୍ଳେଷଣ କରାଯାଇଛି । ମାତ୍ର ଆଲୋଚନା ସମାଲୋଚନା ଭିତରେ ମଧ୍ୟ ବିଜେଡି ନିଜ ସଂଗଠନକୁ ପୁଣି ସଜାଡ଼ିବାକୁ ଉଦ୍ୟମ କରୁଛି । ୨୦୨୬ ଜୁନରେ ନବୀନ ପଟ୍ଟନାୟକ ଦଳର ନେତା, ବିଧାୟକ ଓ ପଦାଧିକାରୀଙ୍କୁ ନେଇ ବୈଠକ କରିଥିଲେ। ସେହି ସମୟରେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିଜେଡିରେ ପ୍ରବେଶକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସୁଜାତା କାର୍ତ୍ତିକେୟନ ପୂର୍ବରୁ କଟକ ଓ ସୁନ୍ଦରଗଡ଼ର ଜିଲ୍ଲାପାଳ ଭାବେ କାମ କରିଥିବାରୁ କଟକ ସହ ତାଙ୍କର ପ୍ରଶାସନିକ ଅଭିଜ୍ଞତାକୁ ମଧ୍ୟ ରାଜନୈତିକ ଆଲୋଚନାରେ ଉଠାଯାଉଛି । ଏହାସହ ଭି.କେ. ପାଣ୍ଡିଆନଙ୍କ ଭୂମିକାକୁ ନେଇ ମଧ୍ୟ ବିଜେଡି ଭିତରେ ଓ ବାହାରେ ଆଲୋଚନା ଜାରି ରହିଛି । ତେଣୁ ବଡ଼ ପ୍ରଶ୍ନ ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ସରକାଙ୍କ ଚକ୍ରବ୍ୟୁହ ଭେଦି ଜନତାଙ୍କ ମନ ଜିତିବା କ’ଣ ବିଜେଡି ପାଇଁ ସହଜ ହେବ କି । ଆଗାମୀ ଦିନରେ ରାଜନୈତିକ ଚିତ୍ର କଣ ହେଉଛି ତାହା ଉପରେ ସଭିଙ୍କ ନଜର ।

Leave a Reply

Your email address will not be published. Required fields are marked *