ରାଜନୀତିରୁ ଉର୍ଦ୍ଧରେ ରହି ଜନତାଙ୍କ ଓ ଦେଶର ସୁରକ୍ଷା ପାଇଁ ଅନବରତ ନିଜର ସମସ୍ତ ସେବା ପ୍ରଦାନ କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୭ରେ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ସରକାରର ମୁଖ୍ୟ ରହିବାର ୨୫ ବର୍ଷ ପୂରଣ କରିଛନ୍ତି। ଏହି ଆବସରରେ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେବା ପାଇଁ ଦିଲ୍ଲୀସ୍ଥିତ ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ୨୫ ବର୍ଷର ଏହି ଦୀର୍ଘ ରାଜନୈତିକ ଯାତ୍ରାରେ ମୋଦୀ ଗୁଜରାଟରୁ ଜାତୀୟ ରାଜନୀତିର କେନ୍ଦ୍ରକୁ ଆସିଛନ୍ତି । ୨୦୧୪ରେ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୯ ଓ ୨୦୨୪ରେ ମଧ୍ୟ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ହୋଇଛି। ଏହି ଅବସରକୁ ଦଳ ପକ୍ଷରୁ ମୋଦୀଙ୍କ ଦୀର୍ଘ ଶାସନ ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ପାଳନ କରାଯାଉଛି। ୨୦୦୧ ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ୨୦୧୪ରୁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ମୋଦୀଙ୍କ ଏହି ୨୫ ବର୍ଷର ଯାତ୍ରାକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦଳ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ ସହ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ, ଯାତ୍ରା ଓ ଅନ୍ୟାନ୍ୟ ଆୟୋଜନ କରାଯାଉଛି। ‘ସେବା ସଂକଳ୍ପ ଯାତ୍ରା’ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ ଥିଲା। ଏହି ଅବସରରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ମୋଦୀଙ୍କ ୨୫ ବର୍ଷର ଶାସନ ଯାତ୍ରାକୁ ପ୍ରଶଂସା କରି ଏକ ପ୍ରସ୍ତାବ ପାରିତ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁସାରେ, କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଠିଆ ହୋଇ ସମ୍ମାନ ଜଣାଯାଇଥିଲା । କ୍ୟାବିନେଟ୍ର ପ୍ରସ୍ତାବରେ ମୋଦୀଙ୍କ ଶାସନକାଳରେ କଲ୍ୟାଣମୂଳକ ଯୋଜନା, ଭିତ୍ତିଭୂମି, ପ୍ରଯୁକ୍ତି, ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କ୍ଷେତ୍ରରେ ହୋଇଥିବା ପଦକ୍ଷେପଗୁଡ଼ିକର ଉଲ୍ଲେଖ କରାଯାଇଛି। ଗୁଜରାଟରେ ଆରମ୍ଭ ହୋଇଥିବା କିଛି ପ୍ରଶାସନିକ ପଦକ୍ଷେପ ପରବର୍ତ୍ତୀ ସମୟରେ ଜାତୀୟ ସ୍ତରରେ ମଧ୍ୟ ପ୍ରୟୋଗ ହୋଇଥିବା କୁହାଯାଇଛି। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ସମୟରେ ରାଜ୍ୟ କଚ୍ଛ ଭୂମିକମ୍ପର ପରବର୍ତ୍ତୀ ପରିସ୍ଥିତିରୁ ବାହାରୁଥିଲା। ପରେ ଜଳ ପରିଚାଳନା, ଜଳସେଚନ, ପୁନର୍ନିର୍ମାଣ ଓ ଭିତ୍ତିଭୂମି ଭଳି କ୍ଷେତ୍ରରେ ତାଙ୍କ ସରକାରର ପଦକ୍ଷେପ ଚର୍ଚ୍ଚାରେ ରହିଥିଲା।

