20 Oct 2026, Tue

ଆରମ୍ଭ ହେଲା ରାହୁଲଙ୍କ “ସତ୍ୟାଗ୍ରହ” !

ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଆନ୍ଦୋଳନ ଏବଂ ସାଧାରଣ ଲୋକଙ୍କ ଅଭିଯୋଗକୁ ଏକ ମଞ୍ଚରେ ଆଣିବାକୁ ନୂଆ ପଦକ୍ଷେପ ନେଇଛନ୍ତି କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ‘ସତ୍ୟାଗ୍ରହ’ ନାମରେ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘ଏକ୍ସ’ରେ ପୋଷ୍ଟ କରି ରାହୁଲ ଦେଶବାସୀଙ୍କୁ ନିଜ ଅଭିଯୋଗ ଏବଂ ଆନ୍ଦୋଳନର ସୂଚନା ଏହି ପ୍ଲାଟ୍‌ଫର୍ମରେ ଶେୟାର କରିବାକୁ ଆହ୍ୱାନ କରିଛନ୍ତି। ଏହି ଡିଜିଟାଲ ମଞ୍ଚ ଜରିଆରେ ଲୋକମାନେ ନିଜ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନର ବିବରଣୀ ଦେଇପାରିବେ। ଏହାସହ ଏକ ଇଣ୍ଟରଆକ୍ଟିଭ୍ ମାନଚିତ୍ର ମାଧ୍ୟମରେ ଦେଶର ଅନ୍ୟ ସ୍ଥାନରେ ଚାଲିଥିବା ସମାନ ଆନ୍ଦୋଳନ ବିଷୟରେ ମଧ୍ୟ ଜାଣିପାରିବେ। ନିଜ ଅଭିଯାନ ପାଇଁ ସମର୍ଥନ ମଧ୍ୟ ଲୋଡ଼ିପାରିବେ। ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଦର୍ଶନକୁ ଆଧାର କରି ଏହି ପ୍ଲାଟ୍‌ଫର୍ମର ପରିକଳ୍ପନା କରାଯାଇଥିବା କହିଛନ୍ତି ରାହୁଲ। ତାଙ୍କ ମତରେ, ସତ୍ୟ ନିଜେ ଏକ ଶକ୍ତିଶାଳୀ ମାଧ୍ୟମ। କିନ୍ତୁ ଯେତେବେଳେ ଅନେକ ଲୋକ ଏକାଠି ହୋଇ ସତ୍ୟ ପାଇଁ ସ୍ୱର ଉଠାନ୍ତି, ସେହି ଶକ୍ତି ଆହୁରି ବଢ଼ିଯାଏ। ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ବିଭିନ୍ନ ପ୍ରାନ୍ତରେ ଅନେକ ଲୋକ ନିଜ ଅଧିକାର ଏବଂ ଦାବି ପାଇଁ ଲଢ଼େଇ କରୁଛନ୍ତି। ଜେନ୍-ଜି, ଛାତ୍ରଛାତ୍ରୀ, ଚାଷୀ, ଆଦିବାସୀ ସମ୍ପ୍ରଦାୟ, ଦଳିତ ଏବଂ ମହିଳାମାନଙ୍କ ସହ ଜଡ଼ିତ ଅନେକ ଆନ୍ଦୋଳନ ଏହାର ଉଦାହରଣ ବୋଲି ସେ ଦର୍ଶାଇଛନ୍ତି। ତାଙ୍କ ଅନୁସାରେ, ଏହି ସମସ୍ତ ସ୍ୱର ଅଲଗା ଅଲଗା ଭାବେ ଉଠୁଥିବାରୁ ଏହାର ପ୍ରଭାବ ସୀମିତ ରହିଯାଉଛି। ‘ସତ୍ୟାଗ୍ରହ’ ପ୍ଲାଟ୍‌ଫର୍ମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ବିକ୍ଷିପ୍ତ ସ୍ୱରଗୁଡ଼ିକୁ ଏକାଠି କରିବା ଏବଂ ଏକ ବଡ଼ ମଞ୍ଚ ପ୍ରଦାନ କରିବା। ପ୍ଲାଟ୍‌ଫର୍ମରେ ବିକ୍ଷୋଭକାରୀମାନେ ନିଜ ନାମ, ସଂଗଠନ କିମ୍ବା ଗୋଷ୍ଠୀର ନାମ ଏବଂ ଆନ୍ଦୋଳନ ସମ୍ପର୍କିତ ବିବରଣୀ ଦେଇପାରିବେ। ଏହା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳର ସମାନ ପ୍ରସଙ୍ଗର ଆନ୍ଦୋଳନଗୁଡ଼ିକ ପରସ୍ପର ସହ ଯୋଡ଼ି ହୋଇପାରିବାର ସୁଯୋଗ ରହିଛି। ସେପଟେ, ବିରୋଧୀ ଦଳ ନେତା ଭାବେ ଏଭଳି ଜନସମସ୍ୟା ଏବଂ ଆନ୍ଦୋଳନକୁ ସଂସଦରେ ଉଠାଇବା ସହ ରାଜନୈତିକ ମଞ୍ଚ ଏବଂ ଚିଠି ମାଧ୍ୟମରେ ମଧ୍ୟ ସମର୍ଥନ କରିବେ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାହୁଲଙ୍କ ଏହି ନୂଆ ଡିଜିଟାଲ ପଦକ୍ଷେପ ଦେଶର ବିଭିନ୍ନ ଆନ୍ଦୋଳନ ଏବଂ ଜନସାଧାରଣଙ୍କ ସ୍ୱରକୁ କେତେ ଦୂର ଏକାଠି କରିପାରୁଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *