ଇଣ୍ଡଷ୍ଟ୍ରିରେ କାମ କରିବା ଯେତିକି ଚ୍ୟାଲେଞ୍ଜିଂ, ନିଜ ପାରିଶ୍ରମିକ ଠିକ୍ ସମୟରେ ପାଇବା ମଧ୍ୟ ଅନେକ ସମୟରେ ଏକ ବଡ଼ ସମସ୍ୟା। ଏବେ ଏହି ପ୍ରସଙ୍ଗକୁ ନେଇ ସୋସିଆଲ୍ ମିଡିଆରେ ନିଜ ଅସନ୍ତୋଷ ଜାହିର କରିଛନ୍ତି ଅଭିନେତା ଦିପନ୍ୱିତ ଦାସମହାପାତ୍ର । ଏକାଧିକ ପ୍ରୋଜେକ୍ଟରେ ପେମେଣ୍ଟ ନେଇ ସମସ୍ୟା ହେବା ପରେ ସେ କହିଛନ୍ତି କାମ କରିବା ଅପେକ୍ଷା ନିଜ ପାରିଶ୍ରମିକ ଫେରି ପାଇବା ପାଇଁ ଅଧିକ ସମୟ ଓ ଶକ୍ତି ଦେବାକୁ ପଡ଼ୁଛି । ତାଙ୍କ କହିବା ଅନୁସାରେ, ୨୦୧୭ରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାୟ ଏକ ଦଶନ୍ଧିର ଏହି ଯାତ୍ରାରେ ନିଜ ଚରିତ୍ର, ଅଭିନୟ ଓ କ୍ରାଫ୍ଟକୁ ଭଲ କରିବା ଅପେକ୍ଷା, ନିଜ ପରିଶ୍ରମର ଟଙ୍କା କିପରି ଫେରି ପାଇବେ ସେଥିପାଇଁ ଅଧିକ ସମୟ ଦେବାକୁ ପଡ଼ିଥିବା ସେ ଦାବି କରିଛନ୍ତି । ଏହି ପରିସ୍ଥିତିକୁ ସେ ସବୁଠାରୁ ଦୁଃଖଦ ବୋଲି କହିଛନ୍ତି। ଏଥିସହିତ ଇଣ୍ଡଷ୍ଟ୍ରିକୁ ଆସିବାକୁ ଥିବା ନୂଆ କଳାକାରଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, କୌଣସି କଳାକାର ନିଜ କାମ ପାଇଁ ପାରିଶ୍ରମିକ ପାଇବା କୌଣସି ଅନୁଗ୍ରହ ନୁହେଁ, ବରଂ ମୌଳିକ ପେସାଗତ ଦାୟିତ୍ୱ । ତେବେ ଦିପନ୍ୱିତଙ୍କ ଏହି ପୋଷ୍ଟ ପରେ ଇଣ୍ଡଷ୍ଟ୍ରିରେ କଳାକାରଙ୍କ ପେମେଣ୍ଟ ବ୍ୟବସ୍ଥାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ପୋଷ୍ଟରେ କୌଣସି ନିର୍ଦ୍ଦିଷ୍ଟ ପ୍ରୋଜେକ୍ଟ କିମ୍ବା ବ୍ୟକ୍ତିଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇନାହିଁ । ତେବେ ଦୀପନ୍ୱିତ ଦାଶମହାପାତ୍ର ଜଣେ ଓଡ଼ିଆ ଅଭିନେତା । ସେ ମଞ୍ଚ, ଚଳଚ୍ଚିତ୍ର ଓ ଓଟିଟି ମାଧ୍ୟମରେ ଅଭିନୟ କରନ୍ତି । ବାଲେଶ୍ୱର ଜିଲ୍ଲାର ସୋରୋଠାରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କ ପିତାଙ୍କ ନାମ ଜୀତେନ୍ଦ୍ର ଦାଶମହାପାତ୍ର ଓ ମାତାଙ୍କ ନାମ ଜ୍ୟୋତ୍ସ୍ନା ଦାଶମହାପାତ୍ର । ସେ ସୋରୋର ରାମକୃଷ୍ଣ ଶିକ୍ଷା ନିକେତନ ଓ ଏସ ଏନ ହାଇସ୍କୁଲରୁ ସ୍କୁଲ ଶିକ୍ଷାଲାଭ କରିଥିଲେ । ସେ ଉପେନ୍ଦ୍ରନାଥ ମହାବିଦ୍ୟାଳୟ, ସୋରରୁ +୨ ଶିକ୍ଷା ସମାପ୍ତ କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ଦୀପନ୍ୱିତ, କଲେଜରେ ପଢ଼ିବା ସମୟରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । ସେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନାଟ୍ୟନୁଷ୍ଠାନ ଟୋନିଲଷ୍ଟକ ଓ ପରେ ଉତ୍ତର ପୁରୁଷ ଏବଂ ଜୀବନ ରେଖା ମଞ୍ଚାନୁଷ୍ଠାନରେ କାମ କରିଛନ୍ତି । ସମରେଶ ରାଉତରାୟଙ୍କ ଓଡ଼ିଆ ୱାନ ସଂସ୍ଥାନ ଦୀପନ୍ୱିତଙ୍କୁ ପ୍ରଥମେ ମ୍ୟୁଜିକ ଆଲବମରେ ଅଭିନୟ କରିବାର ସୁଯୋଗ ଦେଇଥିଲା । ୱେବସିରିଜ ରାବଣ ପୋଡ଼ିର ସଫଳତା ତାଙ୍କୁ ଜନାଦୃତି ଆଣିଦେଇଥିଲା । ଏହା ପରେ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିଲା । ଦମନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଏଥିରେ ସେ ଏକ ପାର୍ଶ୍ୱ ଅଭିନେତା ଭାବରେ କମ୍ପାଉଣ୍ଡର ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାର ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ପ୍ରତୀକ୍ଷା । ଅନୁପମ ଖେର ଏହି ଚଳଚ୍ଚିତ୍ରଟିକୁ ହିନ୍ଦୀ ଭାଷାରେ ନିର୍ମାଣ କରି, ନିଜେ ଏଥିରେ ଅଭିନୟ କରିବାର ପ୍ରତିଶୃତି ଦେଇଥିଲେ । ଏଥିରେ ସେ ମୁଖ୍ୟ ଅଭିନେତା ସାଜିଥିଲେ ।

