ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 80ତମ ଜନ୍ମଦିନ । ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଛନ୍ତି ଓଡିଶାବାସୀ । 16 ଅକ୍ଟୋବର 1946 ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ, ତାଙ୍କ ପିତା, କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ଲଗାତାର ଭାବରେ ଦୀର୍ଘ 24 ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳି ଥିଲେ । ବର୍ତ୍ତମାନ ସେ ବିରୋଧୀ ଦଳ ନେତା ରହିଛନ୍ତି । ଓଡିଶା ରାଜନୀତିରେ ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ହେଲେ ସମୟକ୍ରମେ ପ୍ରମାଣିତ କରିଦେଲେ ଯେ, ସେ ହିଁ ଓଡ଼ିଶା ମାଟିରେ ନେତା ନମ୍ବର-୧ । ସେଦିନ ରାଜନୀତିକୁ ନବୀନ ହୋଇ ଆସିଥିବା ନବୀନ, ଆଜି ଦେଶର ଜଣେ ପ୍ରବୀଣ ରାଜନେତା । ୨୪ ବର୍ଷ କାଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତା ଆଜି ୮୦ ବର୍ଷରେ ପାଦ ଦେଇଛନ୍ତି । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ନବୀନ ହେଉଛନ୍ତି ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଚ୍ୟାଲେଞ୍ଜ ଦେଇପାରିନଥିଲା କୌଣସି ଦଳ । ୧୯୯୭ ପୂର୍ବରୁ ନବୀନଙ୍କ ନାଁ ବୋଧହୁଏ ହାତଗଣତି ଲୋକ ଜାଣିଥିଲେ, କିନ୍ତୁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ଜୀବନ ପୂରାପୂରି ବଦଳିଗଲା । ହୁଏତ ସେତେବେଳେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ, ନବୀନଙ୍କୁ ଆଗରେ ରଖି ଅନୁକମ୍ପା ସାଉଣ୍ଟି ରାଜ୍ୟ ରାଜନୀତିର ସିଡ଼ି ଚଢ଼ିବେ । ମାତ୍ର ସେମାନଙ୍କୁ ଭୁଲ୍ ପ୍ରମାଣିତ କରି ନବୀନ ରଚିଲେ ନୂଆ ଇତିହାସ । ରାଜନୀତିରେ ପ୍ରବେଶ କରିବାର କିଛି ମାସ ପରେ ବିଜୁଙ୍କ ନାଁରେ ଗଢ଼ା ହେଲା ବିଜୁ ଜନତା ଦଳ- ବିଜେଡି । ଦଳର ସଭାପତି ଭାବେ ନବୀନ ମାରି ଚାଲିଲେ ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ୍ । ୧୯୯୭ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ କେନ୍ଦ୍ର ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ କ୍ୟାରିୟର୍ । ୨୦୦୦ ମସିହାରେ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ ଏବଂ ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜମୁକୁଟ । ଏହାସହିତ ଓଡ଼ିଶାରେ ବଢ଼ିଥିଲା ତାଙ୍କର ଲୋକପ୍ରିୟତା । ୨୦୦୪ରେ ପୁଣିଥରେ ଓଡ଼ିଶାରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ବିଜେଡି । କିନ୍ତୁ ୨୦୦୯ ରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମଥର ପାଇଁ ବିଜେପି ହାତ ଛାଡ଼ି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ନବୀନ । ସେତେବେଳକୁ ଓଡ଼ିଶା ମାଟି ନବୀନଙ୍କୁ କୋଳେଇ ସାରିଥିଲା । ତାଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ପ୍ରଭାବ କାଟୁ କରିନଥିଲା । ତା’ପରେ ୨୦୧୪ରେ ସେ ଯାହା କରିଦେଖାଇଥିଲେ ତାହା ଥିଲା ଅନ୍ୟ ଏକ ଇତିହାସ । ସେ ପ୍ରମାଣିତ କରିଥିଲେ ଓଡ଼ିଶା ଜନମାନସରେ ସେ ହିଁ ଏକମାତ୍ର ଜନନେତା । ଟଙ୍କିକିଆ ଚାଉଳରୁ ଆରମ୍ଭ କରି ମମତା, ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସବୁ ଯୋଜନାରେ ନବୀନଙ୍କୁ ମିଳିଥିଲା ଲୋକପ୍ରିୟତାର ସ୍ୱାକ୍ଷର । ସରକାରରେ ଥିବା ସମୟରେ ନବୀନଙ୍କ ଯେତିକି ଲୋକପ୍ରିୟତା ଥିଲା, ଆଜିର ସମୟରେ ବିରୋଧୀ ଦଳ ନେତା ରୂପେ ମଧ୍ୟ ସେ ସମସ୍ତଙ୍କ ପ୍ରିୟ ।

