ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ବ୍ରତ। ହରିବୋଲ, ହୁଳହୁଳି ଓ ଭଜନ ଜଣାଣରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର। ମହାକାର୍ତ୍ତିକ ମାସର ପ୍ରଥମ ଦିନରେ ସଂକଳ୍ପ ନେଇ ରାଧାଦାମୋଦର ପୂଜା ସହ ହବିଷ୍ୟ ବ୍ରତ ଆରମ୍ଭ କରିଛନ୍ତି ହବିଷ୍ୟାଳୀ। ଆଉ ବ୍ରତଧାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା। ଚଳିତ ବର୍ଷ ପ୍ରାୟ ୨୪୦୦ ହବିଷ୍ୟାଳୀଙ୍କ ପାଇଁ ତିନୋଟି ନିଶୁଳ୍କ ଶିବିରରେ ରହଣି, ଖାଦ୍ୟ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ମାଗଣାରେ ରହିବାଠାରୁ ଆରମ୍ଭ କରି ମହାପ୍ରସାଦ ସେବନ ଓ ବସ୍ରେ ଶ୍ରୀମନ୍ଦିର ଯାତାୟାତ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। କାର୍ତ୍ତିକ ମାସ ହେଉଛି ଓଡ଼ିଆଙ୍କ ଧାର୍ମିକ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ସମୟ। ବିଶେଷକରି ପୁରୀ ଶ୍ରୀକ୍ଷେତ୍ରରେ ହବିଷ୍ୟ ବ୍ରତ ପାଳନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳୀମାନେ ଆସିଥାନ୍ତି। ମାସେ ଧରି ନିଷ୍ଠାର ସହ ବ୍ରତ ପାଳନ କରିବା ସହ ରାଧାଦାମୋଦରଙ୍କ ପୂଜା ଓ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି। ଏଥିପାଇଁ ପୁରୀରେ ତିନୋଟି ନିଶୁଳ୍କ ଶିବିରର ବ୍ୟବସ୍ଥା ହୋଇଛି। ତଥ୍ୟ ଅନୁଯାୟୀ, ବୃନ୍ଦାବତୀ ନିବାସରେ ୧୨୭୭ ଜଣ, ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୩୬୦ ଜଣ ଏବଂ ମୋଚିସାହି କଲ୍ୟାଣ ମଣ୍ଡପରେ ପ୍ରାୟ ୭୦୦ ଜଣ ହବିଷ୍ୟାଳୀଙ୍କ ପାଇଁ ରହଣି ବ୍ୟବସ୍ଥା କରାଯାଇଛି। ଏହି ଶିବିରଗୁଡ଼ିକରେ ପଞ୍ଜୀକୃତ ହବିଷ୍ୟାଳୀଙ୍କୁ ରହିବା ପାଇଁ ମାଗଣାରେ ସୁବିଧା ଯୋଗାଇ ଦିଆଯାଉଛି। ଏହା ସହ ମହାପ୍ରସାଦ, ଫଳ ଓ ଚା ପ୍ରଦାନର ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ଦର୍ଶନ ପାଇଁ ମଧ୍ୟ ବସ୍ରେ ଯାତାୟାତ ଓ ସ୍ୱତନ୍ତ୍ର ଧାଡ଼ିରେ ଦର୍ଶନର ସୁବିଧା କରାଯାଇଛି। ଶିବିରରେ ପହଞ୍ଚିବା ପରେ ହବିଷ୍ୟାଳୀମାନେ ପଞ୍ଜୀକରଣ କରି ନିଜ ନିଜ ରହଣି ସ୍ଥାନକୁ ଯାଉଛନ୍ତି। ସେମାନଙ୍କୁ ସହଯୋଗ କରିବା ପାଇଁ ନିୟୋଜିତ ହୋଇଛନ୍ତି ସ୍ୱେଚ୍ଛାସେବୀ। ରୁମ୍କୁ ନେବାଠାରୁ ଆରମ୍ଭ କରି ଦର୍ଶନ ପର୍ଯ୍ୟନ୍ତ ସେମାନେ ହବିଷ୍ୟାଳୀଙ୍କୁ ସହାୟତା କରୁଛନ୍ତି। କେବଳ ରହଣି ଓ ଖାଦ୍ୟ ନୁହେଁ, ହବିଷ୍ୟାଳୀଙ୍କ ଆଧ୍ୟାତ୍ମିକ ପରିବେଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସନ୍ଧ୍ୟା ସମୟରେ ଭଜନ, ଜଣାଣ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖିବାର ବ୍ୟବସ୍ଥା ରହିଛି। ଅନ୍ୟପଟେ, ସମଗ୍ର ବ୍ୟବସ୍ଥାର ତଦାରଖ ପାଇଁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ନୋଡାଲ ଅଫିସରମାନେ ନିୟୋଜିତ ଅଛନ୍ତି। ହବିଷ୍ୟାଳୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ପୁରୀରେ ପାଞ୍ଚ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହ ଚିକିତ୍ସା, ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

