ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜଟଣୀର ଇନଫୋଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ, ଅର୍ଥାତ୍ ଆରବିଆଇର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସୁଦୃଢ଼ କରିବା ଦିଗରେ ଏହି ଡାଟା ସେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଥିସହ ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି ହୋଇଛି । ସୂଚନା ଅନୁସାରେ, ଅପରାହ୍ଣ ୪ଟା ୧୦ ମିନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରୁ ଜଟଣୀର ଇନଫୋଭ୍ୟାଲି-୨ ଯାଇ ଡାଟା ସେଣ୍ଟରର ଲୋକାର୍ପଣ କରିବେ। ଖୋର୍ଦ୍ଧା ଜିଲ୍ଲାର ଇନଫୋଭ୍ୟାଲି-୨ରେ ୧୮ ଦଶମିକ ୫୫ ଏକର ଜମିରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ଡାଟା ସେଣ୍ଟର। ଏଥିପାଇଁ ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟ ହୋଇଛି। ନଭି ମୁମ୍ବାଇ ପରେ ଏହା ଆରବିଆଇର ଦ୍ୱିତୀୟ ଡାଟା ସେଣ୍ଟର ବୋଲି ସୂଚନା ରହିଛି। ଆଜିର ଡିଜିଟାଲ୍ ଯୁଗରେ ଅନଲାଇନ୍ ଟଙ୍କା କାରବାରର ଗୁରୁତ୍ୱ ବଢ଼ିଚାଲିଛି। UPI ମାଧ୍ୟମରେ ଟଙ୍କା ପଠାଇବାଠାରୁ ଆରମ୍ଭ କରି NEFT ଓ RTGS ଭଳି ବ୍ୟାଙ୍କିଙ୍ଗ୍ ସେବା ପାଇଁ ନିର୍ଭରଯୋଗ୍ୟ ଡିଜିଟାଲ୍ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏହି ଡାଟା ସେଣ୍ଟର ଡିଜିଟାଲ୍ କାରବାର ସମ୍ପର୍କିତ ତଥ୍ୟର ସୁରକ୍ଷା ଓ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ନିରନ୍ତର ପରିଚାଳନାରେ ସହାୟକ ହେବ। ବିଶେଷକରି, ସାଇବର ଆକ୍ରମଣ କିମ୍ବା ବୈଷୟିକ ତ୍ରୁଟି ଭଳି ପରିସ୍ଥିତିରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଏହି ଭିତ୍ତିଭୂମିର ଗୁରୁତ୍ୱ ରହିଛି। ଏହା ସହିତ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଏବଂ ବିଗ୍ ଡାଟା ଆନାଲିଟିକ୍ସ ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ସାଇବର ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ଏହି କେନ୍ଦ୍ରର ଭୂମିକା ରହିବ। ଜଟଣୀରେ ଏଭଳି ଏକ ଅତ୍ୟାଧୁନିକ ଡାଟା ସେଣ୍ଟରର ସ୍ଥାପନ ଓଡ଼ିଶାର ପ୍ରଯୁକ୍ତିଭିତ୍ତିକ ଭିତ୍ତିଭୂମିକୁ ନୂଆ ପରିଚୟ ଦେବାରେ ସହାୟକ ହୋଇପାରେ। ଏହା ଦେଶର ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ଦକ୍ଷ କରିବା ସହ ଭବିଷ୍ୟତର ବ୍ୟାଙ୍କିଙ୍ଗ୍ ପ୍ରଯୁକ୍ତି ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବାବେଳେ, ଯାତାୟାତ ସମୟରେ ଟ୍ରାଫିକ୍ କଟକଣା ପ୍ରତି ଧ୍ୟାନ ଦେବାକୁ ଗାଡ଼ିଚାଳକଙ୍କୁ ପରାମର୍ଶ ଦିଆଯାଇଛି।

