ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ । ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛି ଓଡ଼ିଶାର State Sentence Review Board। ଗତ ୩୧ ତାରିଖରେ ହୋଇଥିବା ବୈଠକରେ ଖାରଜ କରାଯାଇଥିବାର ସୂଚନା ମିଳିଛି । ଗତ ଅଗଷ୍ଟ ୧୫ରେ ଦାରା ସେନା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରାୟ ୨୫୦ ଦାରା ସେନା କର୍ମୀ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିଲେ । ଆସନ୍ତା ୧୭ରେ ସୁପ୍ରିମକୋର୍ଟରେ ଏନେଇ ରହିଛି ଶୁଣାଣି । SSRB ରିପୋର୍ଟ ଦେବାରେ ବିଳମ୍ବ କରିଥିବାରୁ କ୍ଷୁବ୍ଧ ହୋଇଥିଲେ କୋର୍ଟ । ପୂର୍ବରୁ ୫ ଥର ଦାରାଙ୍କ ପିଟିସନ୍କୁ ଖାରଜ କରିଛି SSRB । କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ଅଗଷ୍ଟ ୧୫, ୨୦୨୬ ତାରିଖରେ ‘ଦାରା ସେନା’ ସହିତ ଜଡିତ କିଛି ବ୍ୟକ୍ତି ଜେଲ୍ ସାମ୍ନାରେ ଏକାଠି ହୋଇ ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ୍ ଦେଇଥିଲେ। ଏହି ପରିସ୍ଥିତିକୁ ବିଚାରକୁ ନେଇ ବୋର୍ଡ ବର୍ତ୍ତମାନ ପାଇଁ ତାଙ୍କୁ ମୁକ୍ତି ଦେବାକୁ ମନା କରିଦେଇଛି।
ଉଲ୍ଲେଖଯୋଗ୍ୟ , ୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ ଦାରା ସିଂହଙ୍କ ନେତୃତ୍ୱରେ ଉତ୍ତ୍ୟକ୍ତ ଜନତା କେନ୍ଦୁଝର ଜିଲ୍ଲାର ମନୋହରପୁର ଗାଁରେ ଏକ ଗାଡ଼ି ଭିତରେ ଶୋଇଥିବା ଅବସ୍ଥାରେ ଅଷ୍ଟ୍ରେଲୀୟ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ଦେଇଥିଲେ। ଏହି ହୃଦୟବିଦାରକ ହତ୍ୟାକାଣ୍ଡରେ ୨୦୦୩ ମସିହାରେ ଟ୍ରାଏଲ୍ କୋର୍ଟ ଦାରା ସିଂହଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ପରେ ଦାରା ସିଂ ମାମଲା ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହା ୨୦୧୧ ମସିହାରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରହିଥିଲା। ଏବେ ଦାରା ସିଂ ୨୬ବର୍ଷରୁ ଅଧିକ ସମୟ ଧରି ଜେଲରେ ରହିସାରିଛନ୍ତି। ରାଜ୍ୟ ସରକାରଙ୍କ ରିମିସନ ନୀତି ଅନୁସାରେ, ଫାଶୀ ଦଣ୍ଡରୁ ଆଜୀବନ କାରାଦଣ୍ଡ ପାଇଥିବା କଏଦୀମାନେ ୨୫ବର୍ଷ ଜେଲ୍ ଦଣ୍ଡ ଅବଧି ପୂରଣ କରିବା ପରେ ସେମାନଙ୍କ ସମୟପୂର୍ବ ମୁକ୍ତି ଆବେଦନ ଉପରେ ବିଚାର କରାଯାଇପାରିବ। ଦାରା ସିଂ ନିଜର ଦୁଇ ଓକିଲ ହରି ଶଙ୍କର ଜୈନ ଓ ବିଷ୍ଣୁ ଶଙ୍କର ଜୈନଙ୍କ ମାଧ୍ୟମରେ ଦାଏର କରିଥିବା ରିଟ୍ ଆବେଦନରେ ଦର୍ଶାଇଛନ୍ତି ଯେ, ଯୁବାବସ୍ଥାର କ୍ରୋଧ ଯୋଗୁଁ ସେ ସେହି ଅପରାଧ ଘଟାଇଥିଲେ ଓ ଏବେ ସେ ନିଜ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଅନୁତପ୍ତ । ଦଣ୍ଡର ସଂସ୍କାରମୂଳକ ନୀତି ତଥା ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୨୦୨୨ ମସିହାରେ ଦୋଷୀମାନଙ୍କୁ ମିଳିଥିବା ମୁକ୍ତି ରାୟର ଉଦାହରଣ ଦେଇ ଜଣେ ସଂସ୍କାରସମ୍ପନ୍ନ ବ୍ୟକ୍ତି ଭାବେ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ କୋର୍ଟଙ୍କ ନିକଟରେ ସେ ଆବେଦନ କରିଥିବା ଜଣାପଡ଼ିଛି।

