20 Oct 2026, Tue

କାନ୍ଦି କାନ୍ଦି ଗଡିଯାଉଛି ମାଆ । ଚେତ ହରାଉଛନ୍ତି ବାପା । ଜଣେ କି ୨ଜଣ ନୁହେଁ ଗୋଟିଏ ପରିବାରର ଚାଲିଯାଇଛି 7ଜଣଙ୍କ ଜୀବନ । ଏହି ଘଟଣା ପୂରା ରାଜଧାନୀକୁ ସ୍ତବ୍ଧ କରିଦେଇଛି । ମଧ୍ୟପ୍ରଦେଶରୁ ଫେରୁଛି ୭ ଓଡ଼ିଆଙ୍କ ମୃତଦେହ । ଜୟଦେବ ବିହାର ଘରେ ଚାହିଁ ରହିଛନ୍ତି ପରିବାର । ମୃତ ୩ ପିଲାଙ୍କ ମାଆ କହିଲେ- ବର୍ଷା ଦିନେ ତୀର୍ଥଯାତ୍ରାରେ ନ ଯିବାକୁ ସମସ୍ତଙ୍କୁ କରିଥିଲେ ବାରଣ । ତୀର୍ଥଯାତ୍ରାରେ ଯାଇଥିଲେ ଶବ ହୋଇ ଫେରୁଛନ୍ତି । ମଧ୍ୟପ୍ରଦେଶ ନଳଖେଡ଼ାରୁ ଓଡ଼ିଶା ଆସୁଛି ୭ ଓଡ଼ିଆଙ୍କ ମୃତଦେହ । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସଡ଼କ ପଥରେ ଆସୁଛି ସମସ୍ତ ମରଶରୀର । ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବ ପାର୍ଥିବ ଶରୀର । ଭୁବନେଶ୍ବର ଜୟଦେବ ବିହାରର ଗୋଟିଏ ପରିବାରର ୭ଜଣ ଉଜ୍ଜୟିନୀର ମାଆ ବଗଳାମୁଖୀଙ୍କ ଦର୍ଶନ ପାଇଁ ବାହାରିଥିଲେ । ପ୍ରବଳ ବର୍ଷା ସତ୍ତ୍ବେ ବିଳମ୍ବିତ ରାତିରେ ଏହି ପରିବାର ବଗଳାମୁଖୀଙ୍କ ପାଖକୁ ଯାଉଥିବା ବେଳେ ବାଟରେ ଏକ ଭରାନାଳ ପାର୍ ହେଉଥିଲେ । ପାଣିର ପ୍ରଖର ସୁଅ କାଟି କାର୍ ଯାଉଥିବା ବେଳେ ଭାରସାମ୍ୟ ହରାଇ ଭାସି ଯାଇଥିଲା । କାର୍ ଡୋର ଲକ୍ ହୋଇଯିବାରୁ ତା ଭିତରେ ଅଣନିଃଶ୍ବାସୀ ହୋଇ ଡ୍ରାଇଭର ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି ।
ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିବାରୁ କେହି ଜାଣି ପାରିନଥିଲେ । ଆଉ ଯେତେବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ଖବର ପାଇଥିଲେ ସେତେବେଳେ ଲିଭି ଯାଇଥିଲା ୮ ଜୀବନ ଦୀପ । ମୃତକଙ୍କ ଭିତରେ ୩ ଜଣ ଛୋଟ ପିଲା, ତିନି ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ମୃତକମାନେ ହେଲେ ଶିବ ପ୍ରସାଦ ବେହେରା, କ୍ରିଷ୍ଣା ରାଜବୀର, ଜ୍ଞାନେନ୍ଦ୍ର ବେହେରା, ରୀତାରାଣୀ ବେହେରା, ସାଇରା ସୋନପ୍ରଭା, ବି. ସାଇ ସ୍ବସ୍ତିକ୍ ଏବଂ ରାଧାରାଣୀ ବେହେରା । ଘଟଣା ପରେ ଶୋକରେ ବୁବଡ଼ିଛନ୍ତି ପୁରା ପରିବାର । ଏଇ ୨୭ ତାରିଖରେ ଝିଅ ରାଧାରାଣୀଙ୍କ ନିର୍ବନ୍ଧ ହେବାର ଥିଲା । ସମସ୍ତେ ଝିଅର ନିର୍ବନ୍ଧ ପାଇଁ ବ୍ୟସ୍ତ ଥିବାବେଳେ ଭାଉଜ ତାଙ୍କୁ ଯିବା ପାଇଁ ବାରଣ କରିଥିଲେ । ହେଲେ ଭାଉଜଙ୍କ କଥା ନ ଶୁଣି ଭାଇଙ୍କ ସହ ଜିଦ୍ ଧରି ଯାଇଥିଲେ ରାଧାରାଣୀ । ଶିବପ୍ରସାଦଙ୍କ ସ୍ତ୍ରୀ କହିଛନ୍ତି, ବର୍ଷା ଦିନେ ତୀର୍ଥଯାତ୍ରାରେ ନ ଯିବାକୁ ସମସ୍ତଙ୍କୁ ବାରଣ କରିଥିଲି । ହେଲେ ମୋ କଥା କେହି ଶୁଣିଲେ ନାହିଁ । ସବୁ ଶେଷ ହୋଇଗଲା, ଘର ପରିବାର ସବୁକିଛି ଉଜୁଡ଼ିଗଲା ବୋଲି କୋହଭରା କଣ୍ଠରେ କହିଛନ୍ତି ଶିବପ୍ରସାଦଙ୍କ ପତ୍ନୀ ।

Leave a Reply

Your email address will not be published. Required fields are marked *