ଲଗାଣ ବର୍ଷାରେ ଭୟଙ୍କର ହୋଇପଡିଛି ସହରର ରାସ୍ତାଘାଟ । ଯାହା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବାର ସମ୍ଭାବନା ବଢାଇଛି । ତେବେ ବର୍ଷା ଛାଡିବା ପରେ ରାସ୍ତାଘାଟର ମରାମତି କାମକୁ ଏବେ ଜୋରଦାର କରାଯାଉଛି । ଦୁର୍ଗାପୂଜା ପୂର୍ବରୁ ରାସ୍ତା ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ତ୍ତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବର୍ଷା ଓ ବନ୍ୟା ପରବର୍ତ୍ତୀ ରାସ୍ତା ମରାମତିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ବର୍ଷା ଜାରି ରହିଥିବାରୁ ରାସ୍ତା ମରାମତି କାମ କରିବାରେ ସମସ୍ୟା ଦେଖାଦେଇଥିଲା । ଫଳରେ ଅନେକ ସ୍ଥାନରେ କାମ ପ୍ରଭାବିତ ହୋଇଥିଲା । ସମ୍ପୃକ୍ତ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋକୁ ଯାଇ କ୍ଷତିଗ୍ରସ୍ତ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ଏବେ ବର୍ଷାର ପ୍ରଭାବ କମିଥିବାରୁ ମରାମତି କାମକୁ ଦ୍ରୁତ ଗତିରେ ଆଗେଇ ନେବାକୁ ପଦକ୍ଷେପ ନିଆଯାଉଛି ।
କେବଳ ରାସ୍ତା ମରାମତି ନୁହେଁ, ସହରର ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଯେଉଁ ସ୍ଥାନରେ ବର୍ଷା ପାଣି ଜମି ରହୁଛି, ସେସବୁ ସ୍ଥାନ ଚିହ୍ନଟ କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ଡ୍ରେନ୍ ସଫେଇ ସହ ଜଳ ନିଷ୍କାସନ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଦୂର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।ଦୁର୍ଗାପୂଜା ସମୟରେ ରାଜ୍ୟର ବିଭିନ୍ନ ସହରରେ ଲୋକଙ୍କ ଯାତାୟାତ ବୃଦ୍ଧି ପାଇବ। ତେଣୁ ପୂଜା ପୂର୍ବରୁ ରାସ୍ତାଘାଟ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଧାରିବା ଉପରେ ସରକାର ଗୁରୁତ୍ୱ ଦେଉଛି । ଲୋକମାନେ ଯେପରି ପୂଜା ସମୟରେ ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ସମସ୍ତ କାମକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

