19 Oct 2026, Mon

VRS ଚାହିଁଲେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ?

SIR ଝଡ଼ ଥମି ନଥିବା ବେଳେ ହଠାତ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ VRS ଆବେଦନକୁ ନେଇ ତେଜିଲା ରାଜନୀତି। CEO ଆର୍.ଏସ୍. ଗୋପାଳନ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପରେ ଉଠିଛି ଅନେକ ପ୍ରଶ୍ନ। ଗତକାଲି ସଂଧ୍ୟାରେ ୨୦୦୧ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ, ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଆବେଦନ କରିଛନ୍ତି। SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଛନ୍ତି ବିରୋଧୀ। ଓଡ଼ିଶାରେ ମଧ୍ୟ କଂଗ୍ରେସ୍ ସମାନ ଦାବିରେ ଗତ ୨୭ ତାରିଖରେ ସିଇଓ ଅଫିସ୍ ଘେରାଉ କରିଥିଲା। ବିଜେଡି ବି SIR ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲା। ଆଉ ଠିକ୍ ଏହି ସମୟରେ CEOଙ୍କ ଭିଆରଏସ୍ ଆବେଦନ ବିରୋଧୀଙ୍କୁ ଖୋରାକ୍ ଯୋଗାଇଛି। ବିରୋଧୀ କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି, ସନ୍ଥଗୋପାଳନଙ୍କ ଚାକିରି ଆହୁରି ପ୍ରାୟ ବର୍ଷେ ୮ ମାସ ବାକିଥିବା ଥିବାବେଳେ ସେ ଚାପରେ ଚେପା ହୋଇଯାଇଛନ୍ତି। କଂଗ୍ରେସ କହିଛି, ଅନୈତିକ କାର୍ଯ୍ୟ ପାଇଁ ତାଙ୍କୁ ଚାପ ଦିଆଯାଉଥିଲା, ଯେଉଁଥିପାଇଁ ସେ ଅସନ୍ତୁଷ୍ଟ ଥିଲେ। ସନ୍ଥ ଗୋପାଳନଙ୍କ VRS ଆବେଦନ ପଛରେ ପ୍ରକୃତ କାରଣ କଣ? ସତରେ ସେ ଚାପରେ ଥିଲେ ନା, କିଛି ବ୍ୟକ୍ତିଗତ କାରଣ ଯୋଗୁଁ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହିଁଲେ? ଏମିତି ନାନା ପ୍ରଶ୍ନ ଉଠୁଥିବା ବେଳେ ଗତକାଲି ସନ୍ଥଗୋପାଳନ ଓଟିଭିକୁ କହିଥିଲେ, ଗଲା ସେପ୍ଟେମ୍ବର ୨ ତାରିଖରେ ତାଙ୍କ ଚାକିରିକୁ ୨୫ ବର୍ଷ ପୁରିଛି। SIR ପାଇଁ ନୁହେଁ ବହୁ ଆଗରୁ ସେ ଚାକିରିରୁ VRS ପାଇଁ ମନ ସ୍ଥିର କରିଥିଲେ। ସେଥିପାଇଁ ଏବେ ଆବେଦନ କରିଛନ୍ତି। ସେପଟେ ବିରୋଧୀ ଆଣିଥିବା ଅଭିଯୋଗର ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ଜଣେ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେବ କି ନାହିଁ ତାହା ତାଙ୍କର ବ୍ୟକ୍ତିଗତ କଥା। ଏଥିରେ ରାଜନୀତି କରାଯିବା ଉଚିତ୍ ନୁହଁ । ନିକଟରେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଚାକିରି ଇସ୍ତଫା ଦେଇଥିଲେ। ଆଉ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ VRS ଆବେଦନ ପାୱାର୍ କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *