19 Oct 2026, Mon

       ପୁରୀ ସ୍ୱର୍ଗଦ୍ୱାର ଠାରେ ଜଳିଲା ୭ଜୁଇ । ସୋମବାର ଭୋରରୁ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶରେ ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି। ଶୋକାକୁଳ ପରିବେଶରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୭ ଜଣ ମୃତକଙ୍କ ପାଇଁ ମହାକାଳେଶ୍ଵର ଦର୍ଶନ ହେଲା ଶେଷ ଦର୍ଶନ। ଏବେ ସ୍ୱର୍ଗଦ୍ୱାରରେ ୭ ମରଶରୀରର ଜୁଇ ଜଳିଛି । ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ, ସମେତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ଭାଇ ଦିଲ୍ଲୀପ ବେହେରା । ଶିବପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୁଖାଗ୍ନି ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ । ମଧ୍ୟପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା । ସୂଚନା ଫଳକ ଓ ବ୍ୟାରିକେଡ଼ିଂ ବ୍ୟବସ୍ଥା ନଥିବା ଯୋଗୁ ଏ ଦୁର୍ଘଟଣା ଘଟିଲା ବୋଲି ସେ କହିବା ସହ ପ୍ରଶାସନକୁ ଦାୟୀ କରିଛନ୍ତି ।

ମଧ୍ୟପ୍ରଦେଶରୁ ୩ଟି ଆମ୍ବୁଲାନ୍ସ ଯୋଗେ ମରଶରୀର ଗାଁରେ ପହଞ୍ଚିବା ମାତ୍ରେ ପରିବାରବର୍ଗ ଏବଂ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ିଥିଲା । ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ବି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଶିବଙ୍କ ପତ୍ନୀ ସ୍ୱାମୀଙ୍କୁ ହରାଇ ସମ୍ପୂର୍ଣ୍ଣ ନିର୍ବାକ ତଥା ପଥର ପାଲଟି ଯାଇଥିବା ବେଳେ, ବାପାଙ୍କୁ ହରାଇଥି ଝିଅ, ଭାଣେଜୀ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲେ । ଆମ୍ବୁଲାନ୍ସରୁ ଗୋଟିଏ ପରେ ଗୋଟିଏ ମୃତଦେହ ସ୍ଥାନୀୟ ଅଞ୍ଚଳର ୪ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ସ୍ଥାନାନ୍ତରିତ କରାଯିବା ବେଳେ ଭିଡ଼ ଏବଂ କୋହକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିଥିଲା ।

Leave a Reply

Your email address will not be published. Required fields are marked *