20 Oct 2026, Tue

ଗଣେଶଙ୍କୁ କାହିଁକି ଦୁବ ଅର୍ପଣ କରାଯାଏ ?

 ଗଣେଶଙ୍କୁ କାହିଁକି ଅର୍ପଣ କରାଯାଏ ଦୁବ ? ଧାର୍ମିକ ମାନ୍ୟତା ଅନୁସାରେ, ଦୁବକୁ ପବିତ୍ର ଏବଂ ଶୁଦ୍ଧ ବୋଲି ବିଶ୍ୱାସ ରହିଛି । ଦୁବ ଲାଗି କରିବା ଦ୍ୱାରା ପୂଜା କାର୍ଯ୍ୟରେ ପବିତ୍ରତାର ସହ ସମ୍ପନ୍ନ ହୋଇଥାଏ ବୋଲି ଧାର୍ମିକ ମାନ୍ୟତା ରହିଛି । ଏହାସହିତ ଶ୍ରୀ ଗଣେଶଙ୍କ ପୂଜାରେ ଦୁବ ଲାଗି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଏବଂ ଖୁସିର ଆଗମନ ହୋଇଥାଏ । ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଏବଂ ବାବାଙ୍କ କୃପା ପାଇବା ପାଇଁ ଦୁବ ଲାଗି କରିବା ଏକ ସହଜ ଉପାୟ ବୋଲି କୁହାଯାଏ । ଭଗବାନ ଗଣେଶଙ୍କ ପ୍ରତି ସମ୍ମାନ ଏବଂ ପ୍ରେମର ପ୍ରତୀକ ହେଉଛି ଦୁବ । ଏହାକୁ ଅର୍ପଣ କରିବା ଶ୍ରୀ ଗଣେଶଙ୍କ ପ୍ରତି ଶ୍ରଦ୍ଧା ଏବଂ ଭକ୍ତିକୁ ଦର୍ଶାଇଥାଏ । ତେଣୁ ଗଣେଶ ପୂଜାରେ ଦୁବ ଅର୍ପଣ କରାଯାଇଥାଏ ।  ବିଶ୍ୱାସ ଅନୁଯାୟୀ, ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୁଏ ଏବଂ ସମସ୍ତ କାର୍ୟ୍ୟ ସିଦ୍ଧ ହୋଇଥାଏ ।  ବିଘ୍ନହର୍ତ୍ତା ଗଜାନନଙ୍କ ପୂଜା ଆସିଲେ ପ୍ରଥମେ ଆଖି ଆଗରେ ଭାସିଯାଏ ଗଜାନନଙ୍କ ମୂର୍ତ୍ତି, ମୋଦକ ଏବଂ ସବୁଜ ସବୁଜ ଦୁବଘାସ । ଗଣପତିଙ୍କ ପୂଜାରେ ଦୁବର ରହିଛି ବିଶେଷ ମହତ୍ତ୍ୱ । କିନ୍ତୁ କେବେ ଭାବିଛନ୍ତି କି, କାହିଁକି ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରାଯାଏ ? 

ଦୁବ ଓ ଗଣେଶଙ୍କ ସମ୍ପର୍କ ପଛର କାହାଣୀ ଆହୁରି ରୋଚକ । ପୌରାଣିକ କଥା ଅନୁସାରେ, ପ୍ରାଚୀନ କାଳରେ ଅନଳାସୁର ନାମକ ଜଣେ ଭୟଙ୍କର ରାକ୍ଷସ ଥିଲା । ତା’ର ଅତ୍ୟାଚାରରେ ମୁନିଋଷି, ଦେବତା ଓ ସାଧାରଣ ମଣିଷ ସମସ୍ତେ ଅତିଷ୍ଠ ହୋଇପଡ଼ିଥିଲେ । କୁହାଯାଏ, ଅନଳାସୁର ଲୋକଙ୍କୁ ଜୀବନ୍ତ ଗିଳି ଦେଉଥିଲା । ଏହି ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ଭଗବାନ ଶିବଙ୍କ ଶରଣ ନେଲେ । ଶିବଙ୍କ ପରାମର୍ଶରେ ସମସ୍ତେ ଗଣେଶଙ୍କ ନିକଟରେ ପହଞ୍ଚି ଅନଳାସୁରର ବିନାଶ ପାଇଁ ପ୍ରାର୍ଥନା କଲେ । ଦେବତାଙ୍କ ପ୍ରାର୍ଥନା ଗ୍ରହଣ କରି ଗଣପତି ଅନଳାସୁରକୁ ଗିଳି ଦେଇଥିଲେ । କିନ୍ତୁ ରାକ୍ଷସକୁ ଗିଳିବା ପରେ ଗଣେଶଙ୍କ ପେଟରେ ଭୟଙ୍କର ଯନ୍ତ୍ରଣା ହେଲା । ଯନ୍ତ୍ରଣାରୁ ମୁକ୍ତି ପାଇଁ ଅନେକ ଉପାୟ କରାଗଲା । କିନ୍ତୁ ଶେଷରେ ଦୁବ ବାହାରିଥିଲା ସମାଧାନ । କାଶ୍ୟପ ଋଷି ଗଣେଶଙ୍କୁ ୨୧ଟି ଦୁବ ଘାସ ଖାଇବାକୁ ପରାମର୍ଶ ଦେଇଥିଲେ । ଗଣେଶ ୨୧ଟି ଦୁବ ଖାଇବା ପରେ ତାଙ୍କ ପେଟର ଯନ୍ତ୍ରଣା ଦୂର ହୋଇଥିଲା ବୋଲି ପୌରାଣିକ ବିଶ୍ୱାସ ରହିଛି । ସେହିଦିନଠାରୁ ଗଣପତିଙ୍କ ପୂଜାରେ ଦୁବର ମହତ୍ତ୍ୱ ଆହୁରି ବଢ଼ିଥିବା ବିଶ୍ୱାସ କରାଯାଏ ।

Leave a Reply

Your email address will not be published. Required fields are marked *