20 Oct 2026, Tue

ଭାରତୀୟ ମହିଳା କ୍ରିକେଟ୍‌ ଦଳର ନୂଆ ଅଧିନାୟକ ସ୍ମୃତି ମନ୍ଧାନା !

ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟକ ଘୋଷଣା କରିଛି ବିସିସିଆଇ। ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ପଦ ଛାଡ଼ିବା ପରେ ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଛି ଏହି ଦାୟିତ୍ୱ । ୨୦୧୩ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ସ୍ମୃତି। ଭାରତୀୟ ମହିଳା କ୍ରିକେଟ୍ ଦଳର ଏହି ୨୯ ବର୍ଷୀୟା ବ୍ୟାଟରଙ୍କର ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ୧୮ଟି ଟଟ୍ୱେଣ୍ଟି ଓ ୪ଟି ଦିନିକିଆ ମ୍ୟାଚ୍‌ରେ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଅଧିନାୟକ ପଦ ପାଇବା ପରେ ସ୍ମୃତି କହିଛନ୍ତି ଯେ ଏହା ତାଙ୍କ ପାଇଁ ଖୁବ୍ ମହତ୍ତ୍ୱ ରଖେ। ଭାରତକୁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ସବୁବେଳେ ଏକ ବଡ଼ କଥା ହୋଇରହିଆସିଛି। ଏବେ ତାଙ୍କୁ ଦଳର ନେତୃତ୍ୱ ନେବାର ସୁଯୋଗ ମିଳିଛି। ଏହାକୁ ସେ ଗଭୀର ସମ୍ମାନ ଦେଉଛନ୍ତି। ଏଥିପାଇଁ ସେ ବସିସିଆଇ,ଚୟନକର୍ତ୍ତା, ଦଳର ସମସ୍ତ ସଦସ୍ୟ ଓ ତାଙ୍କୁ ସମର୍ଥନ କରିଆସିଥିବା ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ। ଅଧିନାୟକ ଭାବେ ହରମନପ୍ରୀତ କୌରଙ୍କ ଅବଦାନ ଅତୁଳନୀୟ। ସେ ଆମ ସମସ୍ତଙ୍କ କ୍ରିକେଟ୍‌ ଯାତ୍ରାର ଏକ ବଡ଼ ଅଂଶ। ଇନଷ୍ଟାଗ୍ରାମରେ ଗୋଟିଏ ଲମ୍ବା ପୋଷ୍ଟ କରି ବେଶ ଭାବବିହ୍ୱଳ ଢଙ୍ଗରେ ହରମନପ୍ରୀତ କୌର କ୍ୟାପ୍ଟେନ ପଦକୁ ଅଲବିଦା କହିଛନ୍ତି। ସେ ଅଧିନାୟକ ପଦ ଛାଡ଼ିଥିଲେ ହେଁ ଭାରତୀୟ ଟିମ ପାଇଁ ଜଣେ ସାଧାରଣ ଖେଳାଳି ହିସାବରେ ସେବା ଯୋଗାଇବେ ଓ ଦଳକୁ ଆହୁରି ଅନେକ କିଛି ସଫଳତା ଭେଟି ଦେବେ ବୋଲି ମଧ୍ୟ କହିଛନ୍ତି। ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟର ସବୁ ଫର୍ମାଟର କ୍ୟାପ୍ଟେନ ପଦ ଛାଡ଼ିଥିବା ନିଜ ପୋଷ୍ଟରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ୩୭ ବର୍ଷୀୟ ହରମନପ୍ରୀତ ପ୍ରଥମେ ୨୦୧୨ରେ ଅସ୍ଥାୟୀ ଭାବେ ଭାରତୀୟ ମହିଳା ଟିମର କମାଣ ସମ୍ଭାଳିଥିଲେ। ତାଙ୍କ ନେତୃତ୍ୱରେ ସେହି ବର୍ଷ ଭାରତ ମହିଳା ଟି-୨୦ ଏସିଆ କପ ଜିତିଥିଲା। ଏହାପରେ ୨୦୧୬ରେ ତାଙ୍କୁ ସ୍ଥାୟୀ ଭାବେ ମହିଳା କ୍ରିକେଟର ସବୁ ଫର୍ମାଟର କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଥିଲା। ଆଉ ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟରେ ଅନେକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ି ହୋଯାଇଥିଲା। ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ୫ଯି ଟେଷ୍ଟ, ୫୧ଟି ଦିନିକିଆ ଓ ୧୫୫ଟି ଟି-୨୦ ମ୍ୟାଚ୍‌ ଖେଳିଛି। ୨୦୨୫ରେ ଦଳ ପ୍ରଥମଥର ପାଇଁ ଦିନିକିଆ ବିଶ୍ୱକପ ଜିତିବାର ସଫଳତା ହାସଲ କରିଥିଲା।

Leave a Reply

Your email address will not be published. Required fields are marked *