19 Oct 2026, Mon

ଦର୍ଶକଙ୍କ ମନ ଜିତୁଛି ‘ଦାହାନ’, ‘ଦଣ୍ଡକାଳୀ’ !

ଆସନ୍ତା 14ରେ ଗଣେଶ ପୂଜା ଅବସରରେ ପୂଜା ମାହୋଲକୁ ଦ୍ୱିଗୁଣିତ କରିବାକୁ ପରଦାକୁ ଆସୁଛି ଅନେକ ଓଡ଼ିଆ ଫିଲ୍ମ । ଛୁଟି ଦିନରେ ଲୋକେ ମଜା ନେଇପାରିବେ ଅନେକ ସୁନ୍ଦର ସୁନ୍ଦର କାହାଣୀର । ଓଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ଦାହାନ’, ‘ଦଣ୍ଡକାଳୀ’, ‘ଯଦି’, ‘ମୋହନ ଗିରି’ ଓ ‘କଙ୍କଣ’ ଭଳି ଫିଲ୍ମ ପରଦାକୁ ଆସୁଛି । ଯାହା ପୂଜା ବଜାରରେ ଧମାକା କରିବା ସହ ପରଦାରେ ଜୋରଦାର ଟକ୍କର ଦେବ । ସେପ୍ଟେମ୍ୱର 11 ରେ ରିଲିଜ୍ ହୋଇଛି ଫିଲ୍ମ ‘ଦାହାନ’ । ଏହି
ହରର ବା ଭୂତ ଚଳଚିତ୍ରଟିରେ ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ । ଫିଲ୍ମରେ ବର୍ଷା ପଟ୍ଟନାୟକ, ଆରୋଶିଖା ମିଶ୍ର, ପ୍ରଣବ ପ୍ରସନ୍ନ ରଥ, ନିଶାନ୍ତ ମଜିଠିଆ, ଚୌଧୁରୀ ଜୟପ୍ରକାଶ ଦାସ ଓ ପାର୍ଥସାରଥୀ ରାୟଙ୍କ ଭଳି କଳାକାର ନଜର ଆସୁଥିବା ବେଳେ ସମ୍ରାଟ ମହାପାତ୍ର ନବାଗତା ଭାବେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ଦର୍ଶକକୁ ଡ଼ରାଇବାର ଭରପୁର ପ୍ୟାକେଜ ରହିଥିବା ବେଳେ ଦିବ୍ୟା ଓ ସନୋଜ କୁ ନେଇ ସୁନ୍ଦର ଡ୍ୟାନ୍ସ ନମ୍ବର ରହିଛି । “ଦାହାନ୍”ର କାହାଣୀ ବିଷୟରେ କହିବାକୁ ଗଲେ, ଏକ ଅଭିଶପ୍ତ ଘର ଓ ତା’ ଭିତରେ ଥିବା ପ୍ରାଚୀନ ଅଶୁଭ ଶକ୍ତିର କାହାଣୀ । ଏହି ଅଶୁଭ ଶକ୍ତି ସାମ୍ନାରେ ଗୋଟିଏ ପରିବାର ନିଜର ଭୟ ସହ ପାରିବାରିକ ସମ୍ପର୍କର ଫାଟକୁ କିଭଳି ଅତିକ୍ରମ କରୁଛି ଓ ପରିବାରକୁ ଅଭିଶାପ ମୁକ୍ତ କରାଉଛି ତାହାହିଁ ଦେଖିବାକୁ ମିଳିଛୁ । ଫିଲ୍ମରେ ଦୁଇ ଭଉଣୀ ସହ ଭାଇର କାହାଣୀ ମଧ୍ୟ ରହିଛି । ତିନି ଭାଇ ଭଉଣୀଙ୍କ କାହାଣୀରେ ଜଣେ ଭଉଣୀ ଅନ୍ଧକାର ବିରୋଧରେ ଲଢ଼େଇ କରୁଥିବା ବେଳେ ଅନ୍ୟଜଣେ ସେହି ଅନ୍ଧକାରକୁ ନିଜ ଭିତରେ ସମାହିତ କରୁଥିବା ଦେଖିବାକୁ ମିଳିଛି । ସେହିପରି ଦାହାନ ସହ ରିଲିଜ୍ ହୋଇଛି ଫିଲ୍ମ ଦଣ୍ଡକାଳୀ । ଏହି ଚଳଚ୍ଚିତ୍ରରେ ମହାଶ୍ୱେତା ରାୟ, ସୂର୍ଯ୍ୟମୟୀ ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ଉଦିତ୍ ଗୁରୁ, ଏଲି ପାଢୀ, ତୃପ୍ତି ମୀରାମ୍ବିକା, ଚିତ୍ରସେନ ଘୋଷ, କୃଷ୍ଣ କର, ଉଷସୀ ମିଶ୍ରଙ୍କ ସମେତ ଅନେକ ଅଭିନେତା ଦେଖିବାକୁ ମିଳିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ, ପ୍ରଯୋଜନା କରିଛନ୍ତି ରାଜଶ୍ରୀ ଘୋଷ ଏବଂ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ପ୍ରେମ ଆନନ୍ଦ । କାହାଣୀ ଅଭିସିକ୍ତ ମିଶ୍ର ଲେଖିଥିବା ବେଳେ ଗୀତକୁ ସଂଗୀତରେ ସଜେଇଛନ୍ତି ବାପୁ ଗୋସ୍ୱାମୀ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ । ‘ଦଣ୍ଡକାଳୀ’ରେ ଦଣ୍ଡନାଚର ଇତିହାସ ପରମ୍ପରା ଓ ତା ସହ ଯୋଡି ହେଉଥିବା ଲୋକଙ୍କ ଆବେଗକୁ ଦେଖିବାକୁ ମିଳୁଛି । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ନୟାଗଡ଼, ଫୁଲବାଣୀ ଓ କନ୍ଧମାଳ ଭଳି ଅଞ୍ଚଳରେ ଦଣ୍ଡଯାତ୍ରାର ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଭକ୍ତି, ବଳିଦାନ ଓ ପରମ୍ପରାର ଏହି ଜୀବନ୍ତ ଚିତ୍ରକୁ ସିନେମା ମାଧ୍ୟମରେ ଦର୍ଶକଙ୍କ ନିକଟରେ ବିଶେଷ କରି ଏହି ପୁରୁଣା ଓ ହଜିଯାଉଥିବା ପୁରୁଣା ପରମ୍ପରାକୁ ଆଜିର ଯୁବ ପିଢିଙ୍କ ପାଖରେ ପହଞ୍ଚାଇବାକୁ ଏଭଳି କାହାଣୀକୁ ଚିତ୍ରିତ କରିଛି ପ୍ରଯୋଜନା ସଂସ୍ଥା । ଏହି ଚଳଚ୍ଚିତ୍ରଟି ଶ୍ରୀଅଂଶ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହୋଇଥିବା ବେଳେ ଟ୍ରେଲରରେ ପ୍ରେମ, ରହସ୍ୟ, ସଂଘର୍ଷ ଓ ଅପରାଧଭିତ୍ତିକ କାହାଣୀର ଝଲକ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ାଇଥିଲା । ଏବେ ଓଡିଆ ଚଳଚ୍ଚିତ୍ର ଗୁଡିକ ଅତିରଞ୍ଜିତ ନହୋଇ ବାସ୍ତବ ଚିତ୍ର ପରିବେଶଣ କରୁଥିବାରୁ ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା ବଢୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *