ଦୃଶ୍ୟମ ୩ର ତୃତୀୟ ଭାଗ ୨ ଅକ୍ଟୋବର ୨୦୨୬ରେ ରିଲିଜ୍ ହେବାକୁଯାଉଛି । ଅଜୟ ଦେବଗନଙ୍କ ଦୃଶ୍ୟମ୍ ୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଦୃଶ୍ୟମ୍ ୩ ସାଲଗାଓଁକର ପରିବାରର କ୍ରାଇମ୍ ଗାଥାର ଶେଷ ଅଧ୍ୟାୟ ହେବ । ତେବେ ଗାନ୍ଧୀ ଜୟନ୍ତୀ ଭଳି ବଡ଼ ଛୁଟି ଦିନରେ ଏହି ଫିଲ୍ମ ବିଶ୍ୱର ବିଭିନ୍ନ ସିନେମା ହଲରେ ମୁକ୍ତିଲାଭ କରିବ । ଦୃଶ୍ୟମ ୩କୁ ନେଇ ଏଥରର ସବୁଠାରୁ ବଡ଼ ଅପଡେଟ୍ ହେଉଛି, ହିନ୍ଦୀ ରିମେକ୍ର କାହାଣୀକୁ ମୋହନଲାଲଙ୍କ ମୂଳ ମଲୟାଲମ୍ ଫିଲ୍ମଠାରୁ ଅଲଗା ଓ ଅନନ୍ୟ ଭାବେ ପ୍ରସ୍ତୁତ କରାଯାଇଛି । ଏଥର ଫିଲ୍ମର କାଷ୍ଟରେ ମଧ୍ୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । କୁହାଯାଉଛି ଯେ ଅଜୟ ଦେବଗନଙ୍କ ଲକ୍ଷ୍ୟ ହେଉଛି ଫିଲ୍ମଟିକୁ ୫୦ କୋଟିରୁ ଅଧିକ ଓପେନିଂ ଦେବା । ବକ୍ସ ଅଫିସ୍ ୱର୍ଲ୍ଡୱାଇଡର ଏକ ରିପୋର୍ଟ ଅନୁସାରେ, ଦୃଶ୍ୟମ: ଦ କନ୍କ୍ଲୁଜନ୍ ଭାରତରେ ପ୍ରଥମ ଦିନରେ ପ୍ରାୟ ୫୩ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିବାର ଲକ୍ଷ୍ୟ ରଖିଛି । ଏହା ହେଲେ ଫିଲ୍ମଟି ଅଜୟ ଦେବଗନଙ୍କ ସବୁଠାରୁ ବଡ଼ ଓପେନିଂ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ସାମିଲ ହୋଇପାରେ । ଅଜୟ ଦେବଗନଙ୍କ ଦୃଶ୍ୟମ ଫ୍ରାଞ୍ଚାଇଜର ନିଜସ୍ୱ ଏକ ବଡ଼ ଫ୍ୟାନ୍ ବେସ୍ ରହିଛି । ତେଣୁ ଫିଲ୍ମଟି ଜବରଦସ୍ତ ଓପେନିଂ ପାଇବ ବୋଲି ଆଶା କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଆଡଭାନ୍ସ ବୁକିଂ ଆରମ୍ଭ ହୋଇନାହିଁ । ଫିଲ୍ମରେ ଅଜୟ ଦେବଗନଙ୍କ ସହ ତବୁ ଏବଂ ଶ୍ରିୟା ସରନ୍ ମଧ୍ୟ ନିଜ ପୁରୁଣା ଚରିତ୍ରରେ ନଜର ଆସିବେ। ଅନ୍ୟପକ୍ଷରେ, ଦୃଶ୍ୟମ ୨ ରେ ଆଇଜି ତରୁଣ ଅହଲାୱତଙ୍କ ଭୂମିକାରେ ଦର୍ଶକଙ୍କ ମନ ଜିଣିଥିବା ଅକ୍ଷୟ ଖନ୍ନା ତୃତୀୟ ଭାଗରେ ନଥିବେ । ଅକ୍ଷୟ ଖନ୍ନାଙ୍କ ସ୍ଥାନରେ ଏଥର ଜୟଦୀପ ଅହଲାୱତଙ୍କ ଏଣ୍ଟ୍ରି ହୋଇଛି । ସେ ଜଣେ ଅତ୍ୟନ୍ତ କଠୋର ଏବଂ ବୁଦ୍ଧିମାନ ତଦନ୍ତ ଅଧିକାରୀଙ୍କ ନୂଆ ଭୂମିକାରେ ଅଜୟ ଦେବଗନଙ୍କୁ ସିଧାସଳଖ ଟକ୍କର ଦେଉଥିବା ଦେଖାଯିବେ ।

