ଭାଗ୍ୟ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ନେଇ ଠିଆ କରିଦେବ ତାହା କହିବା ମୁସ୍କିଲ । ଦିନେ ହସାଉଥିବା ମଣିଷ ଆଜି ମାନସିକ ଚିନ୍ତାରେ ଚାପି ହୋଇପଡିଛନ୍ତି । ବର୍ତ୍ତମାନ ଚେକ୍ ବାଉନ୍ସ ମାମଲାରେ ଛନ୍ଦି ହୋଇଥିବା ଅଭିନେତା ତଥା ନିର୍ଦ୍ଦେଶକ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କା ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଜମା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ପାସପୋର୍ଟ ମଧ୍ୟ ଜମା କରିବାକୁ କୁହାଯାଇଛି। ପୂର୍ବରୁ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ନକରିବାର ଘଟଣାକୁ ଦୃଷ୍ଟିରେ ରଖି ରାଜପାଲଙ୍କ ଉପରେ ଭରସା କରିବା କଷ୍ଟକର ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଶୁଣାଣି ସମୟରେ ରାଜପାଲଙ୍କ ପୂର୍ବ ଆଭିମୁଖ୍ୟକୁ ନେଇ କଠୋର ଟିପ୍ପଣୀ କରିଥିଲେ। ସେ କହିଥିଲେ ଯେ, ରାଜପାଲ ଯାଦବ ବଲିଉଡ୍ରେ ଡ୍ରାମା ଓ ଅଭିନୟ ପାଇଁ ପରିଚିତ, କିନ୍ତୁ ଅଦାଲତରେ ମଧ୍ୟ ସେଭଳି ଆଚରଣ କରୁଛନ୍ତି। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରାଜପାଲ ଯାଦବଙ୍କୁ ଗିରଫଦାରିରୁ ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ରେ ହେବ। ସୂଚନାଯୋଗ୍ୟ, ଏହି ଚେକ୍ ବାଉନ୍ସ ମାମଲାରେ ଗତ ତିନି ବର୍ଷ ମଧ୍ୟରେ ହାଇକୋର୍ଟଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରାୟ ୧୫ ଥର ଶୁଣାଣି ହୋଇଛି। ପ୍ରତ୍ୟେକ ଥର ଅଦାଲତ ଟଙ୍କା ପରିଶୋଧ କିମ୍ବା ମାମଲାରେ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ତେବେ ରାଜପାଲ ଯାଦବ ପୂର୍ବରୁ ଦିଆଯାଇଥିବା ଅଦାଲତଙ୍କ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବେ ପାଳନ କରିନଥିବା ଅଭିଯୋଗ ରହିଛି। ମାମଲାର ପୃଷ୍ଠଭୂମି ଅନୁଯାୟୀ, ୨୦୧୦ରେ ରାଜପାଲ ଯାଦବ ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ଅତା ପତା ଲାପତା’ ନିର୍ମାଣ ପାଇଁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ସଫଳ ନହେବା ପରେ ସେ ଋଣ ପରିଶୋଧ କରିପାରିନଥିଲେ। ସୁଧ ଓ ଅନ୍ୟାନ୍ୟ ଦେୟ ଯୋଗ ହେବା ପରେ ଏହି ରାଶି ବର୍ତ୍ତମାନ ୯ କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି ।

