ଲଗାଣ ବର୍ଷା ପରେ ଏବେ ଲୋକଙ୍କୁ ଘାରିଛି ବନ୍ୟା ଭୟ । ନଦୀ ତଳିଆ ଅଞ୍ଚଳଗୁଡିକ ପାଣିଘେରକୁ ନେଇ ଚିନ୍ତାରେ ପଡିଛନ୍ତି । ବିଶେଷ କରି ମହାନଦୀର ବନ୍ୟାକୁ ନେଇ ସଜାଗ କରାଯାଇଛି ପ୍ରଶାସନ । ରାଜ୍ୟରେ ଲଗାଣ ବର୍ଷା ଏବଂ ହୀରାକୁଦ ଜଳଭଣ୍ଡାରରୁ ଲଗାତର ବନ୍ୟାଜଳ ନିଷ୍କାସନ ଫଳରେ ମହାନଦୀରେ ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ କଟକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି । ବିଶେଷ କରି ମହାନଦୀ ଅବବାହିକାରେ ଥିବା ବଡ଼ମ୍ବା, ବାଙ୍କୀ, ଆଠଗଡ଼, ତିଗିରିଆ ଏବଂ ନରସିଂହପୁର ଭଳି ସ୍ଥାନଗୁଡ଼ିକରେ ବନ୍ୟା ଆଶଙ୍କା ଘନୀଭୂତ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ବନ୍ୟା ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶାକ୍ତ ପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିର ଉପରେ ଦେଖିବାକୁ ମିଳିଛି । ଉଛୁଳା ମହାନଦୀର ବନ୍ୟାଜଳ କୂଳ ଲଙ୍ଘି ଆସି ଭଟ୍ଟାରିକା ମନ୍ଦିରର ବେଢ଼ାକୁ ଛୁଇଁଲାଣି । ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏବଂ ପାଣିର ସୁଅ ଅତ୍ୟନ୍ତ ତୀବ୍ର ଥିବାରୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଭଟ୍ଟାରିକା ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ଜାରି କରାଯାଇଛି । ସାଧାରଣ ଲୋକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ନଦୀକୂଳ କିମ୍ବା ମନ୍ଦିର ପରିସରକୁ ଯିବା ଲାଗି ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

