ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି । ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ଓ ସ୍ୱର୍ଗ ଭାବେ ଗଢ଼ିତୋଳିବାକୁ ସମସ୍ତଙ୍କୁ ଆହ୍ଵାନ ଜଣାଇଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସରକାର ‘ଅତ୍ୟାଧୁନିକ ନୀତି ଅନୁଯାୟୀ ଷ୍ଟାର୍ ହୋଟେଲଗୁଡ଼ିକ ପାଇଁ କୋଠରୀ ସଂଖ୍ୟା ସର୍ବନିମ୍ନ ୫୦ରୁ ହ୍ରାସ କରାଯାଇ ୧୦ କରାଯାଇଥିବାବେଳେ ପୁଞ୍ଜି ସବ୍ସିଡି ସୀମାକୁ ୨୦ କୋଟିରୁ ବୃଦ୍ଧି କରାଯାଇ ସର୍ବାଧିକ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଗୁଣାତ୍ମକ ମୌଳିକ କାଠାମାଛ ନିର୍ମାଣ ନିମନ୍ତେ ୨୦୨୬ ରୁ ୨୦୩୧ ମଧ୍ୟରେ ୧,୫୦୦ କୋଟି ଟଙ୍କାର ବଜେଟ୍ ଏବଂ ୫,୫୦୦ ଏକର ପରିମିତ ବିଶାଳ ‘ଲ୍ୟାଣ୍ଡ ବ୍ୟାଙ୍କ’କୁ ମଞ୍ଜୁରୀ ଦିଆଯାଇଛି, ଯାହା ଦ୍ୱାରା ରାଜ୍ୟରେ ନୂତନ ହୋଟେଲ ଓ ରିସର୍ଟ ନିର୍ମାଣ ପାଇଁ ପଥ ସୁଗମ ହୋଇଛି।
ଅତିଥିମାନଙ୍କ ସୁରକ୍ଷା ଓ ଅତିଥି ସତ୍କାରକୁ ସର୍ବାଧିକ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ଘୋଷଣା କରିଛନ୍ତି। ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ ବ୍ୟବସ୍ଥା ଆରମ୍ଭ କରାଯାଉଥିବାବେଳେ ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ‘ଓସ୍ୱାଲି’ (OSWALI) ମାଧ୍ୟମରେ ଏକ ହଜାର ପ୍ରଶିକ୍ଷିତ ଜୀବନରକ୍ଷକ ବା ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ। ଅଧିକ ଭିଡ଼ ପରିଲକ୍ଷିତ ହେଉଥିବା ସ୍ଥଳୀଗୁଡ଼ିକରେ ‘ଡେଷ୍ଟିନେସନ୍ ମ୍ୟାନେଜର୍’ ମଧ୍ୟ ନିଯୁକ୍ତ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର ‘ଅତିଥି ଦେବୋ ଭବଃ’ ଅନୁଯାୟୀ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ପଡ଼ିବ, ଯାହାଦ୍ୱାରା ସେମାନେ ହିଁ ଓଡ଼ିଶାର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ। ଆଜିର ସୋସିଆଲ ମିଡିଆ ଯୁଗରେ ଗୋଟିଏ ବି ଅପ୍ରୀତିକର ପରିସ୍ଥିତି ବିଜୁଳି ବେଗରେ ଖେଳିଯାଉଥିବାରୁ ସମସ୍ତଙ୍କୁ ମିଳିମିଶି ଓଡ଼ିଶାର ସୁଖଦ ଅନୁଭୂତି ବିସ୍ତାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

