ବିଜୁ ଜନତା ଦଳରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ରାଜନୀତି ପୁଣି ଚର୍ଚ୍ଚାରେ । ଜୁନ୍ ୨୫, ୨୦୨୬ରେ ପୂର୍ବତନ IAS ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିରେ ସାଧାରଣ ସଦସ୍ୟ ଭାବେ ଯୋଗ ଦେଇଥିଲେ। ସେ ଭି.କେ. ପାଣ୍ଡିଆନଙ୍କ ପତ୍ନୀ। ଦଳରେ ଯୋଗଦାନ ସମୟରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ ସୁଜାତା ସାଧାରଣ ସଦସ୍ୟ ଭାବେ ଦଳରେ ଯୋଗ ଦେଇଛନ୍ତି ଏବଂ ସେ ନିଜେ ଆଗାମୀ ନିର୍ବାଚନରେ ଦଳର ନେତୃତ୍ୱ ନେବେ। କିନ୍ତୁ ଏବେ ସୋସିଆଲ ମିଡିଆର ଏକ ଭିଡିଓକୁ ନେଇ ଦଳୀୟ ପ୍ରତିକ୍ରିୟା ପରେ ପ୍ରଶ୍ନ ଉଠୁଛି । ସୁଜାତାଙ୍କୁ ନେଇ ବିଜେଡି କାହିଁକି ଏତେ ସକ୍ରିୟ ହେଲା ? କିନ୍ତୁ ଏହି ଘଟଣାକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜୁ ଜନତା ଦଳର ପ୍ରକୃତ କ୍ଷମତାର ଡୋରି କାହା ହାତରେ ରହିଛି, ତାକୁ ନେଇ ବିଜେଡି ରାଜନୀତିରେ ପୁଣିଥରେ ବଡ଼ଧରଣର ବିସ୍ଫୋରଣର ଆଶଙ୍କା ଦେଖାଦେଇଛି। ମାତ୍ର ତିନି ମାସ ତଳେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କ ନାମରେ ଏକ ଫେସବୁକ୍ ପେଜରେ ଅପପ୍ରଚାର ହେବା ଘଟଣାକୁ ନେଇ ପୁରା ଦଳ ଯେଭଳି ବ୍ୟାକୁଳ ହୋଇ ରାଜରାସ୍ତାକୁ ଓହ୍ଲାଇଛି, ତାହା ବିଜେଡିର ଆଭ୍ୟନ୍ତରୀଣ ପୁରୁଣା ସିଣ୍ଡିକେଟର ପତିଆରାକୁ ପଦାରେ ପକାଇ ଦେଇଛି।
ସୋସିଆଲ ମିଡିଆର ଏକ ଟ୍ରୋଲ ପେଜ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡିର ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚାର ନେତୃବୃନ୍ଦ ଥାନା ଘେରାଉ କରିବା ସହ ୨୪ ଘଣ୍ଟାର ମହଲତ ଦେଇଥିଲେ । ପୁଲିସ ମଧ୍ୟ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେଇ ସମ୍ପୃକ୍ତ ଫେସବୁକ୍ ପେଜରୁ ସେହି ଏଆଇ ଭିଡିଓକୁ ହଟାଇ ଦେଇଛି ସତ ମାତ୍ର ସମାନ ନାଁରେ ଥିବା ଅନ୍ୟ ଫେସବୁକ ପେଜରେ ଏବେବି ସେହି ଭିଡିଓ ପୂର୍ବବତ୍ ରହିଛି। ତେବେ ମାତ୍ର ୩ମାସ ତଳେ ଦଳର ସଦସ୍ୟତା ଗ୍ରହଣ କରିଥିବା ସୁଜାତାଙ୍କ ପାଇଁ ବିଜେଡି ଆଜି ଦଳବଳ ସହ ଯେଭଳି ଢଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲା ତାହା ଦଳରେ ବର୍ଷବର୍ଷ ଧରି ଝାଳବୁହା ପରିଶ୍ରମ କରୁଥିବା ଏବଂ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଥିବା ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ଅତୀତରେ ଦଳର ଅନେକ ବରିଷ୍ଠ ନେତ୍ରୀ, ପୂର୍ବତନ ବିଧାୟିକା ତଥା ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ରାଜନୈତିକ ଆକ୍ରୋଶ କିମ୍ବା ସୋସିଆଲ ମିଡିଆରେ ଚରିତ୍ର ସଂହାରର ଶିକାର ହେବାକୁ ପଡ଼ିଥିଲେ ମଧ୍ୟ ଦଳ ପକ୍ଷରୁ ସାମାନ୍ୟ ବିବୃତ୍ତିଟିଏ ବି ଜାରି ହୋଇନଥିଲା। ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୋସିଆଲ ମିଡିଆରେ ଅନେକ କଦର୍ଥ କରି ଚରିତ୍ର ସଂହାର କରାଯାଇଥିଲେ ମଧ୍ୟ ଦଳ ଆଗକୁ ଆସିନଥିଲା। କିନ୍ତୁ ମାତ୍ର କିଛି ସପ୍ତାହ ତଳେ ରାଜନୀତିରେ ପାଦ ଥାପିଥିବା ସୁଜାତାଙ୍କ ପାଇଁ ଆଜି ଦଳର ବରିଷ୍ଠ ନେତ୍ରୀମାନଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯେଭଳି ସଙ୍ଗଠିତ ଭାବେ ଥାନା ଆଗରେ ଧାରଣା ଦେଲେ ତାହା ଦଳୀୟ ବ୍ୟବସ୍ଥାରେ ଭିକେ ପାଣ୍ଡିଆନଙ୍କ ଏକଚାଟିଆ ପ୍ରଭାବକୁ ପଦାରେ ପକାଇ ଦେଇଛି ବୋଲି ଆଲୋଚନା ହେଉଛି । ପୂର୍ବରୁ ପାଣ୍ଡିଆନଙ୍କୁ ସୋସିଆଲ ମିଡିଆରେ ହେଉ ଅବା ଗଣମାଧ୍ୟମରେ ଆକ୍ଷେପ କଲେ ବିଜେଡି ଯେଭଳି ଚିହିଁକି ଉଠୁଥିଲା ଏବେ ଅନୁରୂପ ଢଙ୍ଗରେ ତାଙ୍କ ପତ୍ନୀ ସୁଜାତାଙ୍କ ପାଇଁ ମଧ୍ୟ ଆଗକୁ ଆସିଛି। ଯାହାକି ଦଳରେ ପାଣ୍ଡିଆନ ପରିବାରର ନିୟନ୍ତ୍ରଣ ଓ ଘରୋଇ କମ୍ପାନୀ ଭଳି ବିଜେଡି ପରିଚାଳିତ ହେଉଥିବାକୁ ପ୍ରମାଣିତ କରିଛି ବୋଲି ମତ ଦେଇଛନ୍ତି କିଛି ରାଜନୈତିକ ବିଶେଷଜ୍ଞ । ତେବେ ଏହା ଗୋଟେ ପ୍ରକାର ଦର୍ଶାଉଛଇ ଯେ ଏବେ ବି ବିଜେଡି ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ରହୁଛି ବୋଲି ରାଜ୍.ରେ ଚର୍ଚ୍ଚା ଚାଲିଛି ।

